ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ‘ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ’ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

20

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ ଯାଇ ପ୍ରସିଦ୍ଧ ତାରାତାରିଣୀ ପୀଠ ନିକଟରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ରାଜ୍ୟର ଅନ୍ୟତମ ବୃହତ୍ ଜିଲ୍ଲା ଭାବେ ଗଞ୍ଜାମ ଏହି ମହତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଯାଇଛି । ଏଥିରୁ ଜିଲ୍ଲାର ପ୍ରାୟ ୨୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ।
ରବିବାର ସକାଳେ ପ୍ରଥମେ ତାରାତାରିଣୀ ପୀଠରେ ଦେବୀ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେଠାରେ ବିଏସକେଓ୍ୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ I ଏଥି ସହିତ ଡିଜିଟାଲ ମାଧ୍ୟମରେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ ଲୋକାର୍ପିତ କରିଥିଲେ ସେ। ସେଥିରୁ ୫୭୦.୯୭ କୋଟିରେ ହୋଇଥିବା ୬୫୧ଟି ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୫୮୨.୯୯୪ କୋଟି ଟଙ୍କାରେ ହେବାକୁ ଥିବା ୬୪୫ ପ୍ରକଳ୍ପ ସକାଶେ ସେ ଶୁଭ ଦେଇଥିଲେ । ଅନ୍ୟ ୩ଟି ପ୍ରକଳ୍ପ ହିଂଜିଲିକାଟୁରେ ସେ ଆରମ୍ଭ କରିବେ। ଉଲ୍ଲେଖନୀୟ ଭାବେ ଜିଲ୍ଲାର ଏକମାତ୍ର ମହାନଗର ବ୍ରହ୍ମପୁରବାସୀଙ୍କ ନିମନ୍ତେ ୩୨.୭୫ କୋଟିରେ ନିର୍ମିତ ବହୁମୁଖୀ ଜରା ନିବାସ, ୧୩.୪୦ କୋଟି ଟଙ୍କାରେ ନିର୍ମିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ କୋଠା ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି।
ଏତତ୍ ବ୍ୟତୀତ ତାରାତାରିଣୀ ପୀଠର ଭବ୍ୟ ରୂପାନ୍ତରଣ ଘଟିଛି। କେବଳ ମନ୍ଦିର ନୁହେଁ, ଏହା ଚତୁଃପାର୍ଶ୍ବର ନବକଳେବର ହୋଇଛି। ଆଗାମୀ ଦିନରେ ଏହା ଏକ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକାଦୃତ ହେବ । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଉଛି। ସୂଚନା ଥାଉ କି ଆଜି ସ୍ମାର୍ଟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ I ଏହି ଅବସରରେ କ୍ଲାସରୁମ ରେ ପିଲାମାନଙ୍କ ସହିତ କିଛି ସମୟ ବସି ଆଲୋଚନା ମଧ୍ୟ କରିଥିବାର ଦେଖାଯାଇଥିଲା ଇ ଏହାବାଦ ତାରାତାରିଣୀ ପୀଠରେ ପ୍ରସାଦ ସେବନ ମଣ୍ଡପ ଠାରେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବାବଦରେ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲା ବା ନିଜ ନିର୍ବାଚନମଣ୍ଡଳୀକୁ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ତାରାତାରିଣୀ ଠାରେ ୧୦ ପ୍ଲାଟୁନ୍‌ ଫୋର୍ସ ସମେତ ବହୁ ଅଧିକାରୀ ମୁତୟନ ହୋଇଥିଲେ।

Leave A Reply

Your email address will not be published.