ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନ ଠାରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବା ଲକ୍ଷ୍ୟରେ ମିଶନ ଶକ୍ତି ପକ୍ଷରୁ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜାତୀୟ ମହିଳା କମିଶନର (ଏନସିଡବ୍ଲ୍ୟୁ- NCW) ଅଧ୍ୟକ୍ଷା ବିଜୟା କିଶୋର ରାହତକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଭାତୀ ପରିଡ଼ା କହିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ଆର୍ଥିକ ସ୍ୱାଧୀନତା ମଧ୍ୟରେ ସୀମିତ ନୁହେଁ, ବରଂ ସେମାନଙ୍କର ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ । ଏହି ପ୍ରଶିକ୍ଷଣ ଦ୍ୱାରା ମହିଳାମାନେ ଆତ୍ମବିଶ୍ୱାସର ସହ ସମାଜରେ ବିଚରଣ କରିପାରିବେ ଏବଂ ନିର୍ଭୟରେ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ । ଏଥିସହ ଏନସିଡବ୍ଲ୍ୟୁ ଅଧ୍ୟକ୍ଷା ରାହତକର କହିଥିଲେ ଯେ, ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜ ସୁରକ୍ଷା ପାଇଁ ସଜାଗ ରହିଲେ ହିଁ ଦେଶର ଅର୍ଥନୀତିରେ ସେମାନଙ୍କର ଅବଦାନ ଅଧିକ ସୁଦୃଢ଼ ହେବ । ଜାତୀୟ ମହିଳା କମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲା ଯଥା- ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଏବଂ ଗଞ୍ଜାମର ୫,୦୦୦ ଏସଏଚଜି ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ମିଶନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ଏବଂ ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମହିଳାଙ୍କ ନେତୃତ୍ୱରେ ବିକାଶର ନୂଆ ପର୍ଯ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ ।
Comments are closed, but trackbacks and pingbacks are open.