ହୋଟେଲ ମାଲିକଙ୍କ ସମେତ ୫ ଜଣଙ୍କୁ ଗୁଳି କରି ହତ୍ୟା

26

ଗୋହ୍ୱାଟୀ: ଆସାମର ରାଜଧାନୀ ଗୋହ୍ୱାଟୀରେ ଥିବା ହୋଟେଲ ବିଲାସ ଇନ୍‌ରେ ଘଟିଛି ଭୟଙ୍କର କାଣ୍ଡ। ହୋଟେଲ ମାଲିକ, ତାଙ୍କ ପରିବାରର ଆଉ ୩ ସଦସ୍ୟ ଓ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଗୁଳିକାଣ୍ଡ ଘଟଣାରେ ଘନକାନ୍ତ ଗୋଗୋଇ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି। ମିଳିଥିବା ତଥ୍ୟ ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା। ହଠାତ୍‌ ଘନକାନ୍ତ ଗୋଗୋଇ ହାତରେ ବନ୍ଧୁକ ଧରି ହୋଟେଲ ଭିତରେ ପଶିଥିଲେ। ଆଉ କେହି କିଛି ବୁଝିବା ଆଗରୁ ହୋଟେଲ ମାଲିକ, ତାଙ୍କ ପରିବାର ସଦସ୍ୟ, ଡ୍ରାଇଭର ଓ କେୟାର ଟେକରଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ହୋଟେଲ ମାଲିକଙ୍କ ସମେତ ୫ ଜଣ ପ୍ରାଣ ହରାଇଥିଲେ। ପ୍ରାଣ ହାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର। ୫ମ ମୃତକ ଜଣଙ୍କ ସେମାନଙ୍କ ଗାଁର ଓ ଏଠାରେ ଡ୍ରାଇଭର ଭାବେ କାମ କରୁଥିଲେ। ମୃତକମାନେ ହେଲେ ହୋଟେଲ ମାଲିକ ହେଲେନା ଭାରାଲି, ତାଙ୍କ ଭାଇ ଭୁବଦେବ ଭାରାଲି, ପୁଅ ଦେବର୍ଶି କଶ୍ୟପ, ବୋହୁ ରିଙ୍କି କଶ୍ୟପ ଓ ସେମାନଙ୍କ ଡ୍ରାଇଭର ନାରାୟଣ ଦାସ। ଆହତ ବ୍ୟକ୍ତ ଜଣଙ୍କ ହେଲେ ହୋଟେଲର କେୟାର ଟେକର ସତ୍ୟେନ୍ଦ୍ର ପାଠକ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ଘନକାନ୍ତ ଗୋଗୋଇ ଏହି ସ୍ଥାନକୁ ଲିଜ୍‌ରେ ନେଇଥିଲେ। ହୋଟେଲ ବିଲାସ ଇନ୍‌ର ଲିଜ୍‌ ବୁଝାମଣାକୁ ନେଇ ଲାଗି ରହିଥିବା ତିକ୍ତତା କାରଣରୁ ଏତେ ବଡ଼ ଗୁଳିକାଣ୍ଡ ଘଟିଛି। ଅଭିଯୁକ୍ତ ଜଣଙ୍କ ହୋଟେଲକୁ ଲିଜ୍‌ରେ ନେଇଥିଲେ। ଲିଜ୍‌ ନେଇଥିବା ବ୍ୟକ୍ତି ଘନକାନ୍ତ ଗୋଗୋଇ ଓ ହୋଟେଲ ମାଲିକଙ୍କ ମଧ୍ୟରେ ଉକ୍ତ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଏଥିପାଇଁ ଲିଜ୍‌ଧାରୀ ଜଣଙ୍କ ଗୁଳିମାଡ଼ କରିଛନ୍ତି। ଘଟଣାରେ ବ୍ୟବହତୃ ଗୋଟିଏ .୩୨ ବୋର ବନ୍ଧୁକ ପୋଲିସ ଜବତ କରିଛି।

Comments are closed, but trackbacks and pingbacks are open.