ରାଜ୍ୟର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

16

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ରହିଛି । ଏଥିପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ (NOC) ଜାରି କରିବାକୁ କୁହାଯାଇଛି। ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ। ଏହି ପଦକ୍ଷେପର ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳରେ ମୋବାଇଲ ସଂଯୋଗ ବିସ୍ତାର ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରୟାସ ଚଳାଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି। ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବା ବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି। ପ୍ରକଳ୍ପର ତାଲିକାରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରାଧାନ୍ୟ ପାଇଛି।

Comments are closed, but trackbacks and pingbacks are open.