ରାଜଧାନୀରେ ଆତଙ୍କ ସ୍କର୍ପିଓ ଧକ୍କାରେ ଜଣେ ମୃତ ଓ ୫ ଗୁରୁତର

28

ଭୁବନେଶ୍ୱର: ମଙ୍ଗଳବାର ରାତିରେ ଭରତପୁର ଅଞ୍ଚଳରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇ ଆତଙ୍କ ଖେଳାଇଛି । ସ୍କର୍ପିଓ (OD07BG1777) ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ୫ଟି ବାଇକ୍‌ ଓ ଗୋଟିଏ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଛି । ମୃତକ ଜଣକ ହେଲେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମାନସ ବାରିକ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଗାଡି ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଥିଲେ । ଡିସିପି ସର୍ବଣା ବିବେକ୍ ଏମ୍. ଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଲୋକଙ୍କ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟାରୁ ୧୦ ଭିତରେ ଏହି ଦୁର୍ଘଟଣା ଘଟିଥିଲା । ସ୍କର୍ପିଓଟି ନୂଆଗାଁରୁ ଭରତପୁର ଅଭିମୁଖେ ଯାଉଥିଲା । ନୂଆଗାଁ ଛକ ନିକଟରେ ଉକ୍ତ ଗାଡ଼ିଟି ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସ୍କର୍ପିଓକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଡ୍ରାଇଭର ଗାଡ଼ିକୁ ଦ୍ରୁତଗତିରେ ଚଳାଇ ପଳାଇଯାଇଥିଲେ । କିଛି ବାଟ ଯିବା ପରେ ନୂଆଗାଁ ପାର୍ଶ୍ଵରୁ ଆଉ ଏକ ବାଇକ ଯୋଗେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ସ୍କର୍ପିଓଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା lଭରତପୁର ପୋଲିସ ଟିମ୍ ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Comments are closed, but trackbacks and pingbacks are open.