ଗଜପତିରେ ଡବଲ ମର୍ଡର ମାମଲାରେ ୧୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

21

ଗଜପତି: ଏକ ଡବଲ ମର୍ଡର ମାମଲାରେ ୧୨ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହର ପ୍ରସାଦ ପଟ୍ଟନାୟକ। ଗତ ୨୦୨୧ ମସିହା ଜୁନ ୧୨ ତାରିଖ ସନ୍ଧ୍ୟାରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଆ ସନ୍ଦେହରେ ଗାଁ ଲୋକେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ଲୁକା ଦଳବେହେରାଙ୍କ ପୁଅ ଅନୁଖ ଦଳବେହେରାଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
ସୂଚନା ଥାଉ ଯେ, ପ୍ରଥମେ ଆକ୍ରମଣକାରୀମାନେ ଉଭୟ ବାପପୁଅ ମରିଗଲେ ଭାବି ଛାଡ଼ିଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେମାନେ ବଞ୍ଚିଥିବା ଜାଣି ପୁଣି ବିଷ ଦେଇ ହତ୍ୟା କରିଥିଲେ। ଏନେଇ ଅଡବା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଜସୁଆ ଗମାଙ୍ଗଙ୍କ ସମେତ ଅନ୍ୟ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଚୂଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ୧୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଲେଖାଏ ଜୋରିମାନା ଆଦେଶ କରିଛନ୍ତି କୋର୍ଟ। ଜୋରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସ ଲେଖାଏ କାରାଦଣ୍ଡା ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସରକାରୀ ଓକିଲ ରାଜେଶ ମିଶ୍ର ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.