ଦୁଲୁକିବ କଟକ !

41

ଜାନୁୟାରୀ ୧୩ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ । ତେବେ ଆଜି ବିଶ୍ୱକପ୍ ପାଇଁ ବାଜିବ ବିଗୁଲ । କମ୍ପିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ବିଶ୍ୱକପର ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ୱକପ୍ ଶୁଭାରମ୍ଭ ଉତ୍ସବ ଦେଖିବ ସାରା ବିଶ୍ୱ ।

ତେବେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ଏବଂ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ ରେ ଝୁମିବେ ଦର୍ଶକ । ପ୍ରଥମ ଥର କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ । କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ୱକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ । ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ଆଜି ଦିନ ୩ଟା ୩୦ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକମାନେ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିପାରିବେ । ତେବେ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ ଏବଂ ୨ଶହ ଅଫିସର । ସେପଟେ ବିଶ୍ୱକପ୍ ହକି ଟ୍ରଫି ସାରାରାଜ୍ୟରେ ବୁଲିବା ପରେ କଟକରେ ପହଞ୍ଚିଛି । ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମକୁ ଅଣାଯାଇଛି । ଆଜି ଟ୍ରଫିକୁ ବାଲିଯାତ୍ରା ପଡ଼ିଆର କଟକ ଇନ୍ କଟକକୁ ନିଆଯିବ ।

Comments are closed, but trackbacks and pingbacks are open.