୧୯ରେ ବ୍ରିଟିଶ ମହାରାଣୀଙ୍କ ଶେଷକୃତ୍ୟ

16

ଲଣ୍ଡନ: ଆଉ ଦିନକପରେ ଅର୍ଥାତ ଆସନ୍ତା ୧୯ରେ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିରେ ଯୋଗଦେବାକୁ ଏକାଧିକ ରାଷ୍ଟ୍ରମୁଖ୍ୟ ଇତିମଧ୍ୟରେ ଲଣ୍ଡନରେ ପହଞ୍ଚିଥିବା ଜଣାପଡିଛି । ସର୍ବସାଧାରଣଙ୍କ ଦର୍ଶନାର୍ଥେ ବର୍ତ୍ତମାନ ମହାରାଣୀଙ୍କ କଫିନ୍‌କୁ ବ୍ରିଟିଶ ପାର୍ଲାମେଣ୍ଟର ୱେଷ୍ଟମିନିଷ୍ଟର ହଲ୍‌ରେ ରଖାଯାଇଛି । ପ୍ରତିକୂଳ ପାଣିପାଗକୁ ଭ୍ରୁକ୍ଷେପ ନକରି ଦୈନନ୍ଦିିନ ସହସ୍ରାଧିକ ବ୍ରିଟିଶ ନାଗରିକ ମହାରାଣୀଙ୍କ ଶେଷ ଦର୍ଶନ କରୁଛନ୍ତି । ଏଥିପାଇଁ ଟେମ୍‌ସ ନଦୀକୂଳରେ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ମହାରାଣୀଙ୍କ ଅନ୍ତେ ବ୍ରିଟେନର ନୂତନ ମହାରାଜା ଘୋଷିତ ଚାର୍ଲସ ତୃତୀୟ ଶନିବାର ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି କାନାଡା ପର୍ଯ୍ୟନ୍ତ ୧୪ଟି ରାଜ୍ୟଗୋଷ୍ଠୀ ରାଷ୍ଟ୍ରର ମୁଖ୍ୟଙ୍କୁ ଭେଟିଛନ୍ତି । ମାଆଙ୍କ ଶେଷକୃତ୍ୟ ସମାରୋହ ସମ୍ପର୍କରେ ଚାର୍ଲସ ଶୁକ୍ରବାର ନିଜର ଭାଇଭଉଣୀ ରାଜକୁମାରୀ ଆନ୍ନେ, ପ୍ରିନ୍ସ ଆଣ୍ଡ୍ରୁ ଓ ପ୍ରିନ୍ସ ଏଡ୍‌ୱାର୍ଡଙ୍କ ସହ ପ୍ରାୟ ଅଧଘଣ୍ଟା ଆଲୋଚନା କରିଛନ୍ତି । ଚଳିତବର୍ଷ ଏକ ଯୌନ କେଳେଙ୍କାରୀରେ ଫସିଥିବାରୁ ପ୍ରିନ୍ସ ଆଣ୍ଡ୍ରୁଙ୍କ ନିକଟରୁ ରାଜକୀୟ ଉପାଧି ପ୍ରତ୍ୟାହାର କରାଯାଇଛି । ଏହାସତ୍ତ୍ୱେ ଶୁକ୍ରବାର ୱେଷ୍ଟମିନିଷ୍ଟର ହଲ୍‌ରେ ପ୍ରିନ୍ସ ଆଣ୍ଡ୍ରୁ ସାମରିକ ପୋଷାକ ପରିଧାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ବର୍ତ୍ତମାନ ବ୍ରିଟେନରେ ୧୧ ଦିନିଆ ଶୋକ ପାଳନ କରାଯାଉଛି । ରାଷ୍ଟ୍ରୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଥିବାବେଳେ ସମସ୍ତ ସରକାରୀ ଉତ୍ସବକୁ ବାତିଲ କରାଯାଇଛି । ମହାରାଣୀଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଶତାଧିକ ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିବାବେଳେ ୬ଟି ରାଷ୍ଟ୍ର ଏଥିରୁ ବାଦପଡିଛନ୍ତି । ଏଗୁଡିକ ହେଲା ରୁଷ୍‌, ବେଲାରୁଷ୍‌, ମିଆଁମାର, ଭେନେଜୁଏଲା, ସିରିୟା ଓ ଆଫ୍‌ଗାନିସ୍ତାନ । ବିଭିନ୍ନ କାରଣରୁ ଏହି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ନିମନ୍ତ୍ରଣ ପାଇବାରୁ ବଞ୍ଚିତ ହୋଇଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ କିନ୍ତୁ ଏହାକୁ ଭଲ ଦୃଷ୍ଟିରେ ଗ୍ରହଣ କରିପାରିନାହାନ୍ତି । ଆମେରିକାର ପ୍ରରୋଚନାରେ ବ୍ରିଟେନ ଏଭଳି ଅଭଦ୍ରାମୀ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ରୁଷ୍‌ର ମିତ୍ରରାଷ୍ଟ୍ରଭାବେ ପରିଚିତ ଚୀନ୍ ପକ୍ଷରୁ ବିଦେଶମନ୍ତ୍ରୀ ମହାରାଣୀଙ୍କ ଶେଷକୃତ୍ୟରେ ଯୋଗଦେବେ ବୋଲି ଜଣାପଡିଛି । ଅପରପକ୍ଷରେ ଖ୍ରୀଷ୍ଟ ଜଗତର ଧର୍ମଗୁରୁ ପୋପ୍ ଫ୍ରାନ୍‌ସିସ୍ ଶେଷକୃତ୍ୟରେ ଯୋଗଦେବେ ନାହିଁ ବୋଲି ଭଟିକାନ ସିଟି ସୂତ୍ରରୁ ଜଣାପଡିଛି । ତେବେ ଭଟିକାନ୍ ସିଟି ବିଦେଶ ମନ୍ତ୍ରୀ ପଲ୍ ଗାଲାଘେର ପୋପ୍‌ଙ୍କୁ ପ୍ରତିନିଧିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଚଳିତମାସ ୮ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି ।

Comments are closed, but trackbacks and pingbacks are open.