୧୩ ଜିଲ୍ଲାରେ ମନ୍ତ୍ରୀ ଶୂନ : ୪ ଜିଲ୍ଲାରେ ଦୁଇ ଜଣ ଏବଂ ୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ

21

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ହୋଇଛି ନବ କଳେବର I ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୪ ଜିଲ୍ଲା ଏକାଧିକ ମନ୍ତ୍ରୀ ପଦ ପାଇଥିବା ବେଳେ ୧୩ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିଛି । ସବୁଠାରୁ ବଡ଼ କଥା ହେଲା, ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଦ୍ ଦେଇ ଏଥର ନବୀନଙ୍କ ନୂଆ ଟିମରେ ଏହି ସ୍ଥାନ ପାଇଛନ୍ତି ତୁଷାରକାନ୍ତି ବେହେରା । ସେହିପରି ଅରୁଣ ସାହୁଙ୍କ ସ୍ଥାନରେ ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ଭାବେ ଉଚ୍ଚଶିକ୍ଷା ଦାୟିତ୍ୱ ତୁଲାଇବେ ରୋହିତ୍ ପୂଜାରୀ । ଯୁବ ଚେହେରା ତଥା ନୂଆ ମୁହଁ ପ୍ରୀତିରଞ୍ଜନ ଘଡାଇଙ୍କୁ ଗ୍ରାମୀଣ ବିକାଶ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନର କନଭେନସନ୍ ହଲରେ ନୂତନ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପୂର୍ବରୁ ଥିବା ୯ ଜଣ ମନ୍ତ୍ରୀଙ୍କୁ ପୁଣି ଥରେ ରିପିଟ୍ ହୋଇଛନ୍ତି । ଏହା ସହିତ ମନ୍ତ୍ରୀମଣ୍ଡଳରେ ପୂର୍ବରୁ ମନ୍ତ୍ରୀପଦ ପାଇ ପରେ ପୁଣି ବାଦ୍ ପଡିଥିବା ୫ଜଣଙ୍କୁ ଟିମରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରଦୀପ ଅମାତ ।

ତେବେ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ୧୭ ଜିଲ୍ଲାର ବିଧାୟକଙ୍କୁ ସ୍ଥାନ ମିଳିଥିଲା ବେଳେ ମନ୍ତ୍ରୀ ଶୂନ୍ୟ ରହିଛି ୧୩ ଜିଲ୍ଲା । ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ମନ୍ତ୍ରୀ ପଦ ପାଇଥିବା ବିଧାୟକ ମାନେ ହେଉଛନ୍ତି- ଯାଜପୁର ଜିଲ୍ଲାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଗଞ୍ଜାମ ଜିଲ୍ଲାରୁ ଚିକିଟି ବିଧାୟିକା ଉଷା ଦେବୀ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିିଳିଛି ମନ୍ତ୍ରୀପଦ ।

ସେହିଭଳି ପୁରୀ ଜିଲ୍ଲାରୁ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ନିମାପଡାରୁ ସମୀର ରଞ୍ଜନ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ରାୟଗଡା ଜିଲ୍ଲାରୁ ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲାରୁ ଆଠଗଡ ବିଧାୟକ ରଣେନ୍ଦ୍ର ପତାପ ସ୍ବାଇଁ ଢେଙ୍କାନାଳ ଜିଲ୍ଲାରୁ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡା ଜିଲ୍ଲାରୁ ନବ କିଶୋର ଦାସ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ କୁମାର ଅମାତ, ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ସମ୍ବଲପୁର ଜିଲ୍ଲାରୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ଜିଲ୍ଲାରୁ ବିଜେପୁର ବିଧାୟିକା ରୀତା ସାହୁ, ମୟୁରଭଞ୍ଜ ଜିଲ୍ଲାରୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।
ସେହିପରି ମନ୍ତ୍ରୀ ପଦ ପାଇନଥିବା ଜିଲ୍ଲା ମଧ୍ୟରେ ମାଲକାନାଗିରି, ଗଜପତି, ଜଗତସିଂପୁର, ଭଦ୍ରକ, ନୟାଗଡ, କୋରାପୁଟ, ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ, କେନ୍ଦୁଝର ଏବଂ ଦେବଗଡ ରହିଛି । ଏହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ କେହି ବି ଜଣେ ବିଧାୟକଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ ।

Comments are closed, but trackbacks and pingbacks are open.