କାରକେଡ୍‌ରେ ସାମିଲ ସ୍କର୍ପିଓ ଧକ୍କାରେ ଯୁବକଙ୍କ ମୃତ୍ୟୁ

17

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ । କାରକେଡ଼ ତାଙ୍କୁ ଘରେ ଛାଡ଼ି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଶନିବାର ରାତି ପ୍ରାୟ ୮ଟା ୫୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତ ଯୁବକଙ୍କ ପରିଚୟ ବିହାରର ସମସ୍ତିପୁର ଅଞ୍ଚଳର ଭରତ କାପର ବୋଲି ଜଣାପଡ଼ିଛି । ସେ ଗାଙ୍ଗ୍ୟାଲ ଅଞ୍ଚଳର ଏକ ଦୋକାନରେ କାମ କରୁଥିଲେ । ରାସ୍ତା ପାର ହେଉଥିବା ସମୟରେ କାରକେଡ଼ରେ ସାମିଲ ଥିବା ଏକ ଦ୍ରୁତଗାମୀ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ତୁରନ୍ତ ଆହତ ଯୁବକଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ତେବେ ଡାକ୍ତରମାନେ ଭରତଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲା । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.