ଆମର ଚାଉଳକୁ ତମର ଆଇନ

35

ରାଜରାସ୍ତାରେ ବିଜେଡି-ବିଜେପି । ଟଣାଓଟରା ବିଜେଡି-ବିଜେପି । ଚାଲିଛି କାଦୁଅ ଫିିଙ୍ଗା ରାଜନୀତି
ଗୋଟିଏ ପଟେ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି । ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ ଦଳ । କେନ୍ଦ୍ର ସରକାର ଏଥର ବଜେଟର କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ ।

ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା । ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧିନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ମାଗଣା ଚାଉଳ ମିଳୁଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା । ଏଥିଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକ ଏମଏସପିରୁ ବଞ୍ଚିତ ହେବେ ବୋଲି ଦଳ କହିଛି । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ବିରୋଧ କରି ଆଜି ଭୁବନେଶ୍ୱରର ବିଜେପି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ କରାଯାଉଛି । ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍‌, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ରାଜ୍ୟର ଅଧିକାଂଶ ଅପରାଧରେ ଶାସକ ଦଳର ନେତା ଓ ପୋଲିସର ସମ୍ପୃକ୍ତି ରହୁଥିବା ନେଇ ଅଭିଯୋଗ ଆସୁଛି । ନବ ଦାସଙ୍କୁ ଯେଭଳି ହତ୍ୟା କରାଗଲା । ତାହା ବିରଳ । ରାଜ୍ୟ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଏ ସରକାର ଯିବାର ଆବଶ୍ୟକତା ରହିଛି । ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ ତାରିଖରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବିରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ।

Comments are closed, but trackbacks and pingbacks are open.