ସାଂସଦଙ୍କ ପାଇଁ ଅଛି, ବିଧାୟକଙ୍କ ପାଇଁ ନାହିଁ

24

ମୁଣ୍ଡ ଉପରେ ଏବେ ଝାରସୁଗୁଡ଼ା ଉପନିର୍ବାଚନ । ସମସ୍ତ ଦଳ ପାଇଁ ଏହି ଉପନିର୍ବାଚନ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାହା ଖାତାକୁ କେତେ ଭୋଟ ଯିବ ବିଶ୍ଳେଷଣ କରି ଅଧିକରୁ ଅଧିକ ଭୋଟ୍ ହାତେଇ ପାରିବେ ସେ ନେଇ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ବିଜେଡିକୁ ମାତ ଦେଇ ପ୍ରଥମ ଥର ଝାରୁସୁଗୁଡାରେ ପଦ୍ମ ଫୁଟାଇବାକୁ ଯୋଜନା କରୁଛି ଭାରତୀୟ ଜନତା ପାର୍ଟି । ଝାରସୁଗୁଡା ବିଜୟ ସହ ମୁଣ୍ଡରେ ୨୪ ପାଇଁ ବିଜୟର ଟିକା ଲଗାଇବାକୁ ଚାହୁଁଚି ବିଜେପି । ହେଲେ ଟେନସନରେ ଦଳ । କାହିଁକିନା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟକୁ ୬୩ ହଜାର ୯୩୯ଭୋଟରେ ପରାସ୍ତ କରିଥିଲେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । କିନ୍ତୁ ୨୦୧୯ ନିର୍ବାଚନରେ ସଂସଦୀୟ କ୍ଷେତ୍ରର ସମସ୍ତ ସିଟ୍ ବିଜେଡି ଅକ୍ତିଆର କରିଥିଲା । ଏମିତିକି ୨୦୧୯ ପରଠାରୁ ହୋଇଥିବା ସମସ୍ତ ୩ ବିଧାନସଭା କ୍ଷେତ୍ର ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁରରେ ବିଜେଡି ତାର ବିଜୟର ବାନା ଉଡାଇଛି ।

ଅର୍ଥାତ ସାଂସଦଙ୍କ ଖାତାକୁ ଯାଇଥିବା ଭୋଟ୍ ବିଧାନସଭା ପ୍ରାର୍ଥୀଙ୍କୁ ମିଳୁ ନାହିଁ । ଲୋକସଭା ନିର୍ବାଚନରେ ସାଂସଦ ସୁରେଶ ପୂଜାରୀ ବିଜେପୁର ବିଧାନସଭା କ୍ଷେତ୍ରରୁ ୭୦ ହଜାର ୭୩୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବ୍ରଜରାଜନଗରରୁ ୯୨ ହଜାର ୬୯୦ ଖଣ୍ଡ ଭୋଟ୍ ଏବଂ ପଦ୍ମପୁରରୁ ୮୨ ହଜାର ୧୮୬ ଭୋଟ ମିଳିଥିଲା । ମାତ୍ର ସାଧାରଣ ନିର୍ବାଚନ ପରବର୍ତ୍ତୀ ଉପନିର୍ବାଚନ ସ୍ଥିତିକୁ ଦେଖିଲେ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାତ୍ର ୩୭ ହଜାର ୯୬୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନରେ ୨୨ ହଜାର ୬୩୦ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ମିଳିଥିଲା । ଯାହାକୁ ନେଇ ଖୋଦ୍ ବିଜେପି ଏବେ ଚିନ୍ତାରେ । କୁଆଡ଼େ ଯାଉଛି ସାଂସଦଙ୍କ ଭୋଟ୍‌? ସାଂସଦଙ୍କୁ ଭୋଟ୍ ଦେଇଥିବା ବିଜେପି ସମର୍ଥକ ଉପନିର୍ବାଚନ ସମୟରେ ବିଜେଡିକୁ ପସନ୍ଦ କରିଥିବା ଚିତ୍ର ଦେଖିବାକୁ ମିଳୁଛି । ତାକୁ ନେଇ ଏବେ ଦଳରେ ଆଲୋଚନା ଆରମ୍ଭ ହୋଇଛି ।

ଏବେ ପୁଣି ଥରେ ବରଗଡ଼ ଲୋକସଭା କ୍ଷେତ୍ରରେ ଚତୁର୍ଥ ଉପନିର୍ବାଚନ ହେବାକୁ ଯାଉଛି । ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ଼ ଲୋକସଭା କ୍ଷେତ୍ରରେ ଆସୁଥିବାରୁ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ାରୁ ସୁରେଶଙ୍କୁ ବିଜେଡି ଅପେକ୍ଷା ୨ ହଜାର ଭୋଟ୍ ଅଧିକ ମିଳିଥିଲା । ହେଲେ ଏଥର କଣ ହେବ ତାକୁ ନେଇ ଦଳର ଟେନସନ ବଢିଗଲାଣି । ସବୁ ଉପନିର୍ବାଚନରେ ସାଂସଦଙ୍କୁ ମିଳିଥିବା ଭୋଟ୍ ବିଜେଡି ଖାତାକୁ ଚାଲି ଯାଉଥିବାରୁ ଚଳିତ ଉପନିର୍ବାଚନରେ ବି ଅନୁରୂପ ସ୍ଥିତି ଉପୁଜିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି

Comments are closed, but trackbacks and pingbacks are open.