ରାଜନୀତିରୁ ୟେଦୁରପ୍ପାଙ୍କ ସନ୍ୟାସ

29

ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପା । ସେ ଆଜି କର୍ଣ୍ଣାଟକ ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ । ଏହି ଅବସରରେ ୟେଦୁରପ୍ପା କହିଛନ୍ତି ଯେ, ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ବିଜେପିକୁ ଜିତାଇବା ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବି । ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ଏବଂ ମୁଁ ନିଶ୍ଚିତ ଯେ ଏହା ହେବ ।

ତେବେ ଆଜି କର୍ଣ୍ଣାଟକ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଥିଲା । ଏହା ପୂର୍ବରୁ ବୁଧବାର ଦିନ ୟେଦୁରପ୍ପା କହିଥିଲେ ଯେ ମୁଁ ପୂର୍ବରୁ ଘୋଷଣା କରିସାରିଛି ଯେ ମୁଁ ଆଉ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ, କିନ୍ତୁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଦଳର ସଫଳତା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବି । ୟେଦୁରପ୍ପା ତାଙ୍କ ବିଦାୟ ଅଭିଭାଷଣରେ କହିଛନ୍ତି ଯେ, ଅନେକ ଥର ବିରୋଧୀଦଳ ମନ୍ତବ୍ୟ ଦେଇଛନ୍ତି ଯେ ବିଜେପି ମୋତେ ଅଲଗା କରିଦେଇଛି, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋତେ ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏତେ ସୁଯୋଗ ଆଉ କୌଣସି ନେତାଙ୍କୁ ଦିଆଯାଇ ନାହିଁ । ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଏସ ୟେଦୁରୁପ୍ପାଙ୍କ ବିଦାୟ ଅଭିଭାଷଣକୁ ପ୍ରଶଂସା କରିଛନ୍ତି । ବିଏସ୍ ୟେଦୁରୁପ୍ପା ୧୯୮୮ ରେ କର୍ଣ୍ଣାଟକ ବିଜେପି ସଭାପତି ହୋଇଥିଲେ । ସେ ପ୍ରଥମ ଥର ୧୯୮୩ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେବେଠାରୁ ଶିକାରିପୁରା ନିର୍ବାଚନ ମଣ୍ଡଳୀକୁ ୬ଥର ନିର୍ବାଚିତ ହୋଇଥିଲେ । ତା ସହ ସେ ୪ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed, but trackbacks and pingbacks are open.