ମହାକାଳ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା

34

ଉଜ୍ଜୟିନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପାରମ୍ପରିକ ଧୋତି ଓ ଗାମୁଛା ପରିଧାନ କରିଥିବା ମୋଦୀ ସନ୍ଧ୍ୟା ୬ଟାରେ ମହାକାଳେଶ୍ୱର ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ଘନଶ୍ୟାମ ପୂଜାରୀ ତାଙ୍କ କପାଳରେ ଚନ୍ଦନ ଟୋପା ଲଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ବେଦମନ୍ତ୍ର ଉଚ୍ଚାରଣ ଜରିଆରେ ଘନଶ୍ୟାମ ଓ ଅନ୍ୟ ପୂଜକମାନେ ପ୍ରାୟ ୨୦ ମିନିଟ ପୂଜାର୍ଚ୍ଚନା କରିଥିବାବେଳେ ମୋଦୀଙ୍କୁ ଭକ୍ତିପୂତ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଏହାପରେ ସେ ହାତରେ ରୁଦ୍ରାକ୍ଷ ମାଳା ଓ ବେଲପତ୍ର ଧରି ପ୍ରାୟ ୧୦ ମିନିଟ ଜପ କରିଥିଲେ । ଏପରିକି ଶିବଙ୍କ ବାହନ କୁହାଯାଉଥିବା ବୃଷବ ‘ନନ୍ଦୀ’ର ପ୍ରତିମୂର୍ତ୍ତି ନିକଟରେ ବସି ସେ ଆଉ ୫ ମିନିଟ ପ୍ରାର୍ଥନା କରିଥିଲେ । ପୂଜାର୍ଚ୍ଚନା ପରେ ମୋଦୀ ମନ୍ଦିର ବେଢା ପରିଦର୍ଶନ କରିଥିଲେ । ମୋଦୀଙ୍କ ମହଣରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିିଂହ ଚୌହ୍ୱାନଙ୍କୁ ଦେଖିବାକୁ ମିଳିଥିଲା । ବେଢା ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ସାଧୁ ସନ୍ନ୍ୟାସୀଙ୍କୁ ମୋଦୀ ଯୋଡହସ୍ତରେ ପ୍ରଣାମ ଜଣାଇଥିଲେ । ମଙ୍ଗଳବାର ସକାଳେ ଅହମ୍ମଦାବାଦରୁ ଇନ୍ଦୋରରେ ପହଞ୍ଚିବାପରେ ବିମାନବନ୍ଦରରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, ଜଳସମ୍ପଦ ମନ୍ତ୍ରୀ ତୁଳସୀ ସିଲାୱତ୍‌, ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ କୈଳାସ ବିଜୟଭର୍ଗିୟା ପ୍ରମୁଖ ମୋଦୀଙ୍କୁ ସ୍ୱାଗତ ଜଣାଇଥିଲେ । ପରବର୍ତ୍ତୀ ସମୟରେ ମୋଦୀ ସ୍ୱତନ୍ତ୍ର ହେଲିକପ୍ଟରରେ ଉଜ୍ଜୟିନୀ ଯାତ୍ରା କରିଥିଲେ । ଉଜ୍ଜୟିନୀରେ ପହଞ୍ଚିବାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ମୋଦୀ ମହାକାଲେଶ୍ୱର ମନ୍ଦିର ପରିସରରେ ‘ମହାକାଳ ଲୋକ କରିଡର’କୁ ଉଦ୍‌ଘାଟନ କରିଥିଲେ । ପ୍ରାୟ ୯୦୦ ମିଟର ଲମ୍ବ ଏହି କରିଡରକୁ ୮୫୬ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । କରିଡର ପ୍ରାରମ୍ଭରେ ‘ନନ୍ଦୀ ଦ୍ୱାର’ ଓ ‘ପିନାକୀ ଦ୍ୱାର’ ନାମରେ ଦୁଇଟି ପ୍ରବେଶପଥ ନିର୍ମିତ ହୋଇଛି । ପ୍ରସ୍ତର ନିର୍ମିତ ୧୦୮ଟି ସ୍ତମ୍ଭ, କୁତ୍ରିମ ଝରଣା ଏବଂ ପ୍ରାଚୀରରେ ଅଙ୍କନ କରାଯାଇଥିବା ଚିତ୍ରଗୁଡିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.