ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ଗୋଲ୍ଡ ଏଟିଏମ,ଜାଣନ୍ତୁ କେଉଁଠି

57

ବର୍ତ୍ତମାନ ଏଟିଏମ ରୁ ବାହାରିବ ସୁନା I ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ I ଏପର୍ଯ୍ୟନ୍ତ ଆପଣ ଏଟିଏମରୁ ଟଙ୍କା ଉଠାଉଥିବେ I କିନ୍ତୁ ଏଣିକି ଆପଣ ଏଟିଏମରୁ ସୁନା ମଧ୍ୟ ଉଠାଇ ପାରିବେ I ଦୋକାନ ବଦଳରେ ଆପଣ ଏଟିଏମରୁ ସୁନା ନେଇପାରିବେ । ଭାରତର ହାଇଦ୍ରାବାଦରେ ଖୋଲିଛି ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍। ହାଇଦ୍ରାବାଦ ବେଗମପେଟ ରଘୁପତି ଚାମ୍ବର୍ସରେ ରହିଛି ଏହି ଏଟିଏମ। ଗୋଲ୍ଡସିକ୍କା କମ୍ପାନୀ ତରଫରୁ ଏହି ଏଟିଏମ ଲଗାଯାଇଛି।

ଓପନ୍ କ୍ୟୁବ୍ ଟେକ୍ନୋଲୋଜି ସହାୟତାରେ ହାଇଦ୍ରାବାଦ ସ୍ଥିତ କମ୍ପାନୀ ଗୋଲ୍ଡସିକ୍କା ପି.ଭି ଲିମିଟେଡ୍ ଦ୍ୱାରା ଦେଶର ପ୍ରଥମ ସୁନା ଏଟିଏମ୍ ସ୍ଥାପନ କରାଯାଇଛି। ଏହି କମ୍ପାନୀ ଦେଶରେ ସୁନା କ୍ରୟ ଓ ବିକ୍ରୟ କରିଥାଏ I ଏହି ଏଟିଏମ୍ ମାଧ୍ୟମରେ ଗ୍ରାହକମାନେ ସୁନା ମୁଦ୍ରା କିଣିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ I ଏହି ଏଟିଏମ୍ ମଧ୍ୟ ସାଧାରଣ ଏଟିଏମ୍ (ଟଙ୍କା ଏଟିଏମ୍) ପରି କାମ କରେ I ଏହି ଏଟିଏମ୍ରେ ୫ କେଜି ସୁନା ରହିପାରିବାର କ୍ଷମତା ରହିଛି। ତା’ମଧ୍ୟରୁ ଆପଣ 0.୫ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା କ୍ରୟ କରି ପାରିବେ I ଏହି ପ୍ରୟାସ ଫଳରେ ଜନସାଧାରଣ ସୁନାରେ ଅଧିକ ନିବେଶ କରିବାକୁ ଆକୃଷ୍ଟ ହେବେ ବୋଲି କମ୍ପାନୀର ଲକ୍ଷ୍ୟ ରହିଛି ।

କମ୍ପାନୀର ସିଇଓ ସି. ତାରୁଜଙ୍କ ଅନୁଯାୟୀ, ଲୋକମାନେ ଏହି ଏଟିଏମରୁ ୦ .୫ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା କିଣି ପାରିବେ। କେବଳ ଏତିକି ନୁହେଁ, ଏହି ଏଟିଏମରେ ଥିବା ସୁନା ମୂଲ୍ୟ ଲାଇଭ୍ ଅପଡେଟ୍ ହେବ, ଯାହାଦ୍ୱାରା ଗ୍ରାହକ ମାନେ କୌଣସି ଠକେଇ ର ଶିକାର ହେବେ ନାହିଁ I ଏହି ଗୋଲ୍ଡ ଏଟିଏମର ସେବା ୨୪ ଘଣ୍ଟା ସେବା ପ୍ରଦାନ କରିବ I

ଗୋଲ୍ଡସିକ୍କା ପ୍ରାଇଭେଟ ଲିମିଟେଡ୍‌ର ଉପସଭାପତି ପ୍ରତାପ କହିଛନ୍ତି, ଲୋକମାନେ ସୁନା ଦୋକାନକୁ ଯିବା ବଦଳରେ ଏଠାକୁ ଆସି ସହଜରେ ଗୋଲ୍ଡ କଏନ ଉଠାଇପାରିବେ। ଏହି କଏନ ଗୁଡ଼ିକ ୨୪ କ୍ୟାରେଟ୍ ଏବଂ ୯୯୯ ପଞ୍ଚିକୃତ I କୌଣସି ବ୍ୟକ୍ତି ୦.୫ ଗ୍ରାମରୁ କମ୍ ବା ୧୦୦ ଗ୍ରାମରୁ ଅଧିକ ସୁନା କିଣିପାରିବେ ନାହିଁ ।

ଚଳିତ ମାସ ପହିଲାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୫୪,୬୪୦ ଟଙ୍କାରେ ପହଞ୍ଚି ଯାଇଛି । ଏହାପରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିକ୍କାର ଓଜନ ଏବଂ ଶୁଦ୍ଧତା ପାଇଁ ଏକ ସାର୍ଟିଫିକେଟ ମଧ୍ୟ ଦିଆଯିବ ଏବଂ ଏହି ଏଟିଏମ୍‌ ୨୪ ଘଣ୍ଟା ଖୋଲା ରହିବ। ଏହି ଏଟିଏମରୁ ଗ୍ରାହକଙ୍କୁ ଶୁଦ୍ଧ ସୁନା ମିଳିବା ସହ କଏନ୍‌ ଗୁଡ଼ିକ ୨୪ କ୍ୟାରେଟ ବିଶିଷ୍ଟ ହେବ ।

ଏହାସହିତ ଗୋଲ୍ଡସିକ୍କା କମ୍ପାନୀ ସାରା ଦେଶରେ ଅଧିକ ସୁନା ଏଟିଏମ୍ ଖୋଲିବାକୁ ଯାଉଛି । ଦ୍ଵିତୀୟ ପର୍ଯ୍ୟାୟରେ କମ୍ପାନୀ ପେଡାପଲ୍ଲୀ, ୱାରଙ୍ଗାଲ ଏବଂ କରିମନଗରରେ ଗୋଲ୍ଡ ଏଟିଏମ୍ ଖୋଲିବାକୁ ଯୋଜନା କରୁଛି। ଏହା ବ୍ୟତୀତ କମ୍ପାନୀ ଆସନ୍ତା ୨ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୩୦୦୦ ଗୋଲ୍ଡ ଏଟିଏମ୍ ଖୋଲିବାକୁ ଯୋଜନା କରିଛି।

Comments are closed, but trackbacks and pingbacks are open.