ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ କିଡନୀ ଦିବସ ପାଳିତ
ଡ୍ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ବିଶ୍ୱ କିଡ୍ନୀ ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ଯେ ଜଟିଳ କିଡ୍ନୀ ରୋଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି ।
ସମ୍ ହସ୍ପିଟାଲ୍ର ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁରେନ୍ ଦାସ କହିଥିଲେ ଯେ ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ ୨ ଲକ୍ଷ ଲୋକ କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ରୋଗୀଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରାୟ ୨୫ ହଜାର ରୋଗୀଙ୍କର କିଡ୍ନୀ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ୁଛି । ତେବେ ଜୀବନଶୈଳୀରେ ପରିବର୍ତ୍ତନ, ନିୟମିତ ବ୍ୟାୟାମ ଓ ଯୋଗାଭ୍ୟାସ କରିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ ।
ଆଗାମୀ ୨୦୪୦ ସୁଦ୍ଧା ବିଶ୍ୱରେ କିଡ୍ନୀ ଜନିତ ସମସ୍ୟା ପଞ୍ଚମ ରୋଗ ଭାବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିବ ବୋଲି କହିବା ସହ ସୁସ୍ଥ ଜୀବନଶୈଳୀ ଏବଂ ଧୂମ ପାନକୁ ଛାଡ଼ିଲେ ହିଁ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା କହିଥିଲେ ।
ପ୍ରାୟ ୭୦ ରୁ ୮୦ ପ୍ରତିଶତ କିଡ୍ନୀ ଜନିତ ରୋଗୀଙ୍କ ପାଖରେ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଇ ନଥାଏ । ତେଣୁ ରୋଗ ଚିହ୍ନଟ ପାଇଁ ନିୟମିତ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବ ପ୍ରସାଦ କର କହିଥିଲେ ।
ସମ୍ ହସ୍ପିଟାଲ୍ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ମାସକୁ ପ୍ରାୟ ୧,୪୦୦ କିଡ୍ନୀ ରୋଗୀଙ୍କର ଡାଏଲିସିସ୍ କରାଯାଉଥିବା ବେଳେ ରେନାଲ୍ ବାୟୋପ୍ସିର ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି । ଏ ନେଇ ସେ ସମସ୍ତ ବିଭାଗକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ନର୍ସିଂ ସୁପରିନଟେଣ୍ଡେଣ୍ଟ ଶ୍ରୀମତୀ ମିନତୀ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ସମୀର ସାମଲ, ନେଫ୍ରୋ ପାଥୋଲୋଜି ବିଭାଗର ଡାକ୍ତର ନିବେଦିତା ସାହୁ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ରାହୁଲ କାନୁନଗୋ ବକ୍ତବ୍ୟ ରଖିଥିଲେ।
ପ୍ରଫେସର ବିଶ୍ୱ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ବିଶ୍ୱଜିତ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବିଭାଗୀୟ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Comments are closed, but trackbacks and pingbacks are open.