ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ (ଡିଜିଟାଲାଇଜେସନ) ପାଇଁ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ସମାବେଶ

95

ଏକାଦଶ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଭୁବନେଶ୍ଵରରେ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ପାଇଁ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ସମାବେଶ

ଶାନ୍ତନୁ ଆଚାର୍ଯ୍ଯଙ୍କୁ ଚଳିତ ବର୍ଷର ଆମଗୌରବ ସମ୍ମାନ

ଭୁବନେଶ୍ବର – ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଘୋଷଣା ଦିବସ ଓ ବିଶ୍ବ ମାତୃଭାଷା ଦିବସ ଅବସରରେ ଆୟୋଜିତି ହେଉଥିବା ଦେଶର ଏକମାତ୍ର ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ‘ଆମରି ଭାଷା ପଥେ’ ର ଏକାଦଶ ସଂସ୍କରଣ ‘ଲ୍ୟାଙ୍ଗଫେଷ୍ଟ-୨୦୨୫’ ଚଳିତ ମାସ ୨୦ ଏବଂ ୨୧ ତାରିଖରେ ଭୁବନେଶ୍ବର ସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ ସଭାଗୃହରେ ଅନୁଷ୍ଠିତ ହେଉଛି| ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ଡଃ ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଦୁଇଦିନ ବ୍ଯାପୀ ଏହି ସମ୍ମିଳନୀରେ ମାତୃଭାଷାର କମ୍ପ୍ୟୁଟରୀକରଣ (ଡିଜିଟାଲାଇଜେସନ) ଉପରେ ବିଶଦ ଆଲୋଚନା ପାଇଁ ବିଶ୍ବର ବିଭିନ୍ନ କୋଣରୁ ବଶେଷଜ୍ଞ ଯୋଗଦେଉଛନ୍ତି| ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷା ତଥା ଭାରତୀୟ ଭାଷାର ବିଶେଷଜ୍ଞମାନେ ଯୋଗଦେଇ ‘ମାତୃଭାଷାରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଓ ଜାତିର ପ୍ରଗତି’ ଶୀର୍ଷକରେ ନିଜର ଦୃଷ୍ଟି ଭଙ୍ଗୀ ରଖିବେ| ମାତୃଭାଷାକୁ ସମୃଦ୍ଧ କରିବା ସହିତ ଆଗାମୀ ପିଢି ପାଖରେ ଅଧିକ ଆଦୃତ କରିବା ପାଇଁ ଏହାର କମ୍ପ୍ୟୁଟରୀକରଣ ଅତ୍ୟନ୍ତ ଜରୁରୀ ଅଟେ| ଏଣୁ ଏହି ପ୍ରକ୍ରିୟାକୁ ଓଡ଼ିଆ ଭାଷାରେ ତ୍ବରାନ୍ବିତ କରିବାର ଲକ୍ଷ୍ୟ ରଖି ଚଳିତ ବର୍ଷ ମାତୃଭାଷା ସମ୍ମିଳନୀ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆୟୋଜନ କରାଯାଉଛି ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି| ଏହି ସମ୍ମିଳନୀରେ ଓଡ଼ିଆ ଭାଷା ପାଇଁ ଅନବରତ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ଯକ୍ତିତ୍ବ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ସମ୍ବାଦ ଗୃପର ଅଧ୍ୟକ୍ଷ ସୌମ୍ଯ ରଞ୍ଜନ ପଟ୍ଟନାୟକ, ମାଇକ୍ରୋସପ୍ଟ , ଗୁଗୁଲ, ସିଡାକ, ଭାସିନୀ, ଏନସିଆରଟି, ଓଡ଼ିଶା କମ୍ପ୍ୟୁଟର ଏକାଡ଼େମୀ, ଓଡ଼ିଶା ଭରଚୁଆଲ ଏକାଡ଼େମୀ ତଥା ଡିଜିଟାଲାଇଜେସନ ଉପରେ କାର୍ଯ୍ୟକରୁଥିବା ଅନେକ ଅଧିକାରୀଙ୍କ ସମେତ ଓଡ଼ିଶାର ଅନେକ ବରେଣ୍ୟ ବ୍ଯକ୍ତିତ୍ବ ଯୋଗଦେଇ ନିଜର ଅଭିମତ ରଖିବା ସହିତ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତି କରିବାରେ ସହାୟକ ହେବେ ବୋଲି ଆଶା ଲ୍କରାଯାଉଛି| ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଶିଳ୍ପମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବର୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି| ଏହି ଅବସରରେ ଓଡିଆ ଭାଷାର ଉନ୍ନତିର ବିଭିନ୍ନ ଦିଗରେ ଅବଦାନ ରଖିଥିବା ବରିଷ୍ଟ ବ୍ଯକ୍ତିତ୍ବଙ୍କୁ ତାଙ୍କ ଜୀବନ ବ୍ୟାପୀ କର୍ମ ପାଇଁ “ଆମ ଗୌରବ ସମ୍ମାନ”  ପ୍ରତିବର୍ଷ ପ୍ରଦାନ କରାଯାଉଅଛି | ଚଳିତ ବର୍ଷ ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଅନନ୍ୟ ଅବଦାନ ରଖି ଆସିଥିବା ବିଶିଷ୍ଟ ଲେଖକ, ଶିକ୍ଷାବିତ ଓ ଗବେଷକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ଯଙ୍କୁ ଏହି ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦାନ କରାଯିବ| ପୂର୍ବରୁ ଏହି ସମ୍ମାନ ବରିଷ୍ଟ ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଭାଷାକର୍ମୀ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର, ଲୋକପ୍ରିୟ ଗୀତିକାର ଦେବଦାସ ଛୋଟରାୟ, ଜ୍ଞାନପୀଠ ବିଜେତା ଲେଖିକା ଡଃ ପ୍ରତିଭା ରାୟ, ଚଳଚ୍ଚିତ୍ର ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ଡଃ ପ୍ରଶାନ୍ତ ନନ୍ଦ, ବିଶିଷ୍ଟ କବି ଡଃ ରମାକାନ୍ତ ରଥ, ନୃତ୍ୟବିଷାରଦ ସରେନ ଲୟେନ, ବିଶିଷ୍ଟ କବି ତଥା ପୂର୍ବତନ ବୈଦେଶିକ ସଚିବ ଡଃ ଅମରେନ୍ଦ୍ର ଖଟୁଆଙ୍କୁ ପ୍ରଦାନ କରାଯାଇଛି|

Comments are closed, but trackbacks and pingbacks are open.