କିମ୍‌ସରେ ବିଶ୍ୱ କର୍କଟ ଦିବସ ପାଳିତ

26

ଭୁବନେଶ୍ୱର,୪ା୨: କିମ୍‌ସ କ୍ୟାନସର କେୟାର ସେଣ୍ଟର ପକ୍ଷରୁ ଶନିବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କର୍କଟ ରୋଗର ମୁକାବିଲା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ କିଟ୍‌, କିସ୍ ଏବଂ କିମ୍‌ସ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇ ପୋଷ୍ଟର, ବ୍ୟାନର ଏବଂ ସ୍ଲୋଗାନ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚଳିତବର୍ଷର ବିଷୟବସ୍ତୁ ଥିଲା ‘କ୍ଲୋଜ ଦ କେୟାର ଗ୍ୟାପ୍‌’ । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସୂଚନାଦେଇ କିମ୍‌ସ କ୍ୟାନସର କେୟାର ସେଣ୍ଟର ନିର୍ଦ୍ଦେଶକ ଡା. ବିଧୁ କଲ୍ୟାଣ ମହାନ୍ତି କହିଲେ, କର୍କଟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲେ, ଠିକ୍ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଓ ଠିକ୍‍ ସମୟରେ ଚିକିତ୍ସା କରାଗଲେ କର୍କଟ ରୋଗ ଆରୋଗ୍ୟ ହେବାର ସମ୍ଭାବନା ରହିଛି । ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨ କୋଟି ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ୪ ରୁ ୫ କୋଟି ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତରେ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଚିକିତ୍ସା ଅଭାବରୁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ହୋଉଥିବା ୧୦ ଲକ୍ଷ ମୃତ୍ୟୁ ହାରର ୭୦ ପ୍ରତିଶତ ହେଉଛନ୍ତି ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଦେଶର ଲୋକ । ତେଣୁ ବାଛ ବିଚାର ନକରି ସଭିଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ ବୋଲି ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସରୋଜ ରଞ୍ଜନ ସାହୁ କହିଥିଲେ । କିଛି ଲୋକ ଭୟରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁନଥିବା ବେଳେ କିଛି ତାଙ୍କୁ କର୍କଟ ରୋଗ ହୋଇଛି ବୋଲି ସ୍ୱୀକାର କରିବାକୁ ଦ୍ୱିଧା ପ୍ରକାଶ କରନ୍ତି । ଫଳରେ ଚିକିତ୍ସାରେ ବିଳମ୍ବ ଘଟି ପରବର୍ତ୍ତୀ ସମୟରେ ମାରାତ୍ମକ ସାଜିଥାଏ ବୋଲି ଡା. ସାହୁ କହିଥିଲେ । କିମ୍‍ସ କ୍ୟାନସର ହସ୍ପିଟାଲରେ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ କର୍କଟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ । ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସବ୍ୟସାଚୀ ପରିଡ଼ା କହିଲେ, ଆମ ଦେଶରେ ଦେଖା ଯାଉଥିବା  କର୍କଟ ରୋଗ ମଧ୍ୟରେ ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ ର୍କକଟ, ମୁଖ କର୍କଟ ଏବଂ ମହିଳାମାନଙ୍କ କ୍ଷେତ୍ରରେ ସାଧାରଣତଃ  ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ଦେଖିବାକୁ ମିଳିଥାଏ । ଏହି ରୋଗକୁ ବିଭିନ୍ନ ଉପାୟରେ ଡାକ୍ତରୀ ପରୀକ୍ଷା କରି ଚିହ୍ନଟ କରାଯାଇଥାଏ । ପ୍ରାଥମିକ ଅବସ୍ଥାରେ ଏହାର ଉପଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଗଲେ ଏହି ରୋଗ ଅନେକମାତ୍ରାରେ ଆରୋଗ୍ୟ ହୋଇ କରିପାରିବ । ଅନ୍ୟ ଡାକ୍ତରମାନଙ୍କ ମଧ୍ୟରେ ଡା. ବିଶ୍ୱଜିତ ଭୁୟାଁ, ଡା. ଯୋଗମାୟା ପଟ୍ଟନାୟକ, ଡା. ଆଦର୍ଶ ୟାଦୱାଦ୍ ଏବଂ ଡା. ଉଷାର୍ଶୀ ଦାସ ପ୍ରମୁଖଙ୍କ ସମେତ ଅନେକ ମେଡିକାଲ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଶେଷରେ କିମ୍‌ସ ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା କର୍କଟ ରୋଗ ସଚେତନତା ଭିତ୍ତିକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।

Comments are closed, but trackbacks and pingbacks are open.