କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

21

ଭୁବନେଶ୍ୱର,୨ ।୪: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତି ବଳ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଚେୟାରପର୍ସନ ଅଳକା ମିଶ୍ର, ୟୁଏନ୍‍ଏଫ୍‍ପିଏ ଓଡ଼ିଶାର ମହମ୍ମଦ ନଦିମ୍‍ ନୁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରି ଶ୍ରୀମତୀ ମିଶ୍ର କହିଲେ, ଅଟିଜିମ୍‍ ଅର୍ଥ ଅକ୍ଷମ ନୁହେଁ। ଏହା ହେଉଛି ଭିନ୍ନକ୍ଷମ।

ଏହି ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ସାଧାରଣ ପିଲାମାନଙ୍କ ପରି ସକ୍ଷମ କରାଯିବାର ଆବଶ୍ୟକତା ରହିଛି। ଏହି ଭିନ୍ନକ୍ଷମ ପିଲାମାନଙ୍କୁ ବିଭିନ୍ନ ପ୍ରକାର ଜୀବନ କୌଶଳ ତାଲିମ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ଶିଶୁଙ୍କ ଭଳି ପ୍ରତ୍ୟେକ ଭିନ୍ନକ୍ଷମ ଶିଶୁ ମଧ୍ୟ ସ୍ୱତନ୍ତ୍ର ଓ ଅନନ୍ୟ ବୋଲି ବୋଲି ମହମ୍ମଦ ନୁର କହିଥିଲେ। ସେମାନଙ୍କୁ ବିଭିନ୍ନ ସର୍ଜନାତ୍ମକ ଭାବେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ।

ସେମାନଙ୍କ ମଧ୍ୟରେ ସର୍ଜନଶୀଳତାର ବିକାଶ ପାଇଁ ଯତ୍ନ ନିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। ବାପା-ମାଆମାନେ ସେମାନଙ୍କର ଭିନ୍ନକ୍ଷମ ସନ୍ତାନସନ୍ତତିଙ୍କୁ ଅଧିକ ସ୍ନେହ, ଆଦର ଦେଇ ସେମାନଙ୍କର ଯତ୍ନ ନେବାକୁ ଶ୍ରୀମତୀ ବଳ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ଚେୟାରପର୍ସନ୍‍ ଡ. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍‍ର ଅଧ୍ୟକ୍ଷ ଡ.ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। ଶେଷରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍-ସେନ୍‍ ଗ୍ଲୋବର ୱେବ୍‍ସାଇଟ୍‍ ଉନ୍ମୋଚନ ହେବା ସହ ସେନ୍‍ ଗ୍ଲୋବ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed, but trackbacks and pingbacks are open.