ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ପ୍ରସ୍ତୁତି ସମୀକ୍ଷା

257

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଉକ୍ତ ପ୍ରତିଯୋଗିତା ଆୟୋଜନର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ଆଜିର ଏହି ପ୍ରସ୍ତୁତି ସମୀକ୍ଷାରେ ଆଥଲେଟିକ୍ସ ଫେଡ଼େରେସନ ଅଫ୍ ଇଣ୍ଡିଆ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ପ୍ରଶାସନର ସହଯୋଗରେ ଯେପରି ଏହି ପ୍ରତିଯୋଗିତାକୁ ସଫଳ ରୂପେ ଆୟୋଜନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଠାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳୀମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଷ୍ଟାଡ଼ିୟମ୍‌ରେ ପ୍ରତିଯୋଗିତା ଆୟୋଜନ ହେଉଥିବାବେଳେ ସମସ୍ତ ଖେଳାଳୀ, ଦର୍ଶକ ଏବଂ ଅଂଶୀଦାରମାନଙ୍କର ସୁରକ୍ଷା ବ୍ୟବସ୍ଥା, ପୋଲିସ ଫୋର୍ସ ମୁତୟନ ଏବଂ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆବଶ୍ୟକ ରହିଥିବା ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରତିଯୋଗିତାରେ ୧୯ଟି ଦେଶରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ।

ଓଡ଼ିଶାରେ ପ୍ରଥମ ଥର ପାଇଁ ୱାଲର୍ଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ମଧ୍ୟ ନିକଟ ଅତୀତରେ ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୱାଲର୍ଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି।

ଆଜିର ଏହି ପ୍ରସ୍ତୁତି ସମୀକ୍ଷାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଅତିରିକ୍ତ ପୋଲିସ କମିଶନର ଭୁବନେଶ୍ୱର ଶ୍ରୀ ନରସିଂହ ଭୋଳ, ହକି ପ୍ରମୋସନ କାଉନସିଲ, ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.