ଭୁବନେଶ୍ୱର: ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜନର ପ୍ରସ୍ତୁତି କରିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମ୍ଠାରେ ୱାଲର୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ଦିନ ଆୟୋଜନ ହେବ। ଆଜିର ଏହି ପ୍ରସ୍ତୁତି ସମୀକ୍ଷାରେ ଆଥଲେଟିକ୍ସ ଫେଡ଼େରେସନ ଅଫ୍ ଇଣ୍ଡିଆ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ପ୍ରଶାସନର ସହଯୋଗରେ ଯେପରି ଏହି ପ୍ରତିଯୋଗିତାକୁ ସଫଳ ରୂପେ ଆୟୋଜନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା । ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଠାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳିମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆସନ୍ତା ୧୦ ତାରିଖ ଦିନ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ୧୯ଟି ଦେଶରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ‘ୱାଲର୍ଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍’ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ୱାଲର୍ଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର କ୍ରୀଡ଼ାବିତ୍ମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି ।
Comments are closed, but trackbacks and pingbacks are open.