ମହିଳା ସଂରକ୍ଷଣ ବିଲ୍ ଥିଲା ରାଜୀବ ଗାନ୍ଧୀଙ୍କ ସ୍ଵପ୍ନ : ସୋନିଆ

73

ମଙ୍ଗଳବାର ଦିନ ଲୋକସଭାରେ ‘ନାରୀ ଶକ୍ତି ବନ୍ଦନ’ ଆଇନ ନାମକ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଥିଲା । ସୋନିଆ ଗାନ୍ଧି ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ କଂଗ୍ରେସ ଅଛି ବୋଲି କହିଛନ୍ତି । ସେ କହିଛନ୍ତି ‘ ରାଜୀବ ଗାନ୍ଧି ହିଁ ପ୍ରଥମେ ଏହି ବିଲ୍ ଆଣିଥିଲେ’ । ଏହି ବିଲ୍ ପାରିତ ହେଲେ ରାଜୀବଙ୍କ ସ୍ୱପ୍ନ ପୂରଣ ହୋଇଯିବ । ବିଲ୍‌କୁ କଂଗ୍ରେସ ସମର୍ଥନ କରୁଛି । ଦୀର୍ଘ ୧୩ ବର୍ଷ ହେବ ମହିଳାମାନେ ଏହି ବିଲ୍ ପାରିତ ହେବାକୁ ଅପେକ୍ଷା କରି ରହିଛନ୍ତି । ବିଲରେ ଓବିସି, ଏସସି, ଏସଟିଙ୍କୁ ମଧ୍ୟ ସାମିଲ କରାଯିବା ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ସୋନିଆ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଏତେ ବର୍ଷ ହେବ ମହିଳାମାନେ ରାଜନୈତିକ ନେତୃତ୍ୱ ନେବା ପାଇଁ ଅପେକ୍ଷା କରି ରହିଛନ୍ତି । ତେବେ ସେମାନଙ୍କୁ ଆହୁରି କାହିଁକି ଅପେକ୍ଷା କରିବାକୁ ପଡୁଛି । ଯଦି ଏହି ବିଲ୍ କେନ୍ଦ୍ର ସରକାର ଆଣୁଛନ୍ତି ତେବେ ଏହା ତୁରନ୍ତ କାହିଁକି ଲାଗୁ କରାଯାଉ ନାହିଁ । କାରଣ ଏହି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହେଲେ ମଧ୍ୟ ଏହା ତୁରନ୍ତ ଲାଗୁ କରାଯିବ ନାହିଁ । ଆଗାମୀ ଜନଗଣନା ପରେ ୨୦୨୬ରୁ ଏହା ଲାଗୁ କରାଯିବାର ସମ୍ଭାବନା ରହିଛି ।

ଏହି ବିଲକୁ ନେଇ ସୋନିଆ ଗାନ୍ଧି ଆହୁରି କହିଛନ୍ତି ଯେ ଏହି ମହିଳା ସଂରକ୍ଷଣ ବିଲ୍ ହେଉଛି ତାଙ୍କ ସରକାରଙ୍କ ଉପହାର । ସେ କହିଛନ୍ତି, ‘ମହିଳା ସଂରକ୍ଷଣ ବିଲ୍ ଆମ ସରକାର ପ୍ରଥମେ ଆଣିଥିଲା’ ଏହାପୂର୍ବରୁ ମଙ୍ଗଳବାର ଦିନ ଯେତେବେଳେ ସୋନିଆ ଗାନ୍ଧୀଙ୍କୁ ବିଲ୍ ଉପସ୍ଥାପନ ସମୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ମହିଳା ସଂରକ୍ଷଣ ବିଲ୍ ଆମର ଅଟେ । ଏହା ବ୍ୟତୀତ କଂଗ୍ରେସ ଏହାର ଅଫିସିଆଲ୍ ‘ଏକ୍ସ’ରେ ଲେଖିଛି, ମନମୋହନ ସିଂ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଏବେବି ଜୀବିତ ରହିଛି । କେବଳ ଏତିକି ନୁହେଁ ସୋନିଆ ଗାନ୍ଧୀ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ । ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ କଂଗ୍ରେସ ଏହାର ଦାବିକୁ ପୁଣି ଥରେ ଦୋହରାଇଛି।

Comments are closed, but trackbacks and pingbacks are open.