ବିଜେଡ଼ି ଶାସନରେ ବିପଦରେ ମହିଳା: ବିଜେପି

30

ଭୁବନେଶ୍ୱର: ବିଜେଡି ଶାସନରେ ବିପଦରେ ମହିଳା । ମହିଳା ନିର୍ଯ୍ୟାତନା ଓ ଅତ୍ୟାଚାରରେ ଓଡ଼ିିଶା ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି । ଏହା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ । ଗୋଟିଏ ପଟେ ରାଜ୍ୟରେ ମହିଳା ନିର୍ଯ୍ୟାତନା, ଶିଶୁ ନିଖୋଜ୍‌, ଅପହରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ଏବଂ ଅଧିକାଂଶ କ୍ଷେତ୍ରରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ପଦାକୁ ଆସୁଥିବାବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯିବା ଆହୁରି ନିନ୍ଦାଜନକ । ଏପରିକି ପୁରସ୍କାର ଓ ସମ୍ବର୍ଦ୍ଧନା ଆଳରେ ଦିଲ୍ଲୀ ଯାଇଥିବା ବିଜେଡିର ମନ୍ତ୍ରୀ ଓ ନେତାମାନେ ନିଶାଶକ୍ତ ଅବସ୍ଥାରେ ବିମାନବନ୍ଦରରେ ଘଟାଇଥିବା ଅସ୍ୱାଭାବିକ ବ୍ୟବହାର କାରଣରୁ ମାନ ସମ୍ମାନ ହରାଇ ଓଡ଼ିିଶା ଆଜି ଲଜ୍ଜିତ ହୋଇଛି । ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଶାସକ ବିଜେଡିକୁ ଆଉ କେତେ ବର୍ଷ ଲାଗିବ ବୋଲି ବିଜେପି ପ୍ରଶ୍ନକରିଛି ।
ମଙ୍ଗଳବାର ଏହାକୁ ବିରୋଧ କରି ଜିଲ୍ଲା ବିଜେପି ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଏହା ପରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏସଂକ୍ରାନ୍ତରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ବିଜେଡି ଶାସନରେ ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିିଛି ଓଡ଼ିିଶା । ନାରୀ ସଶକ୍ତୀକରଣର କଥା କହି ମିଛବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ମା’କୁସମ୍ମାନ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଏନ୍‌ସିଆର୍‌ବି ରିପୋର୍ଟ । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ବ୍ୟବସ୍ଥା ଓ ପକ୍ଷପାତିତା କାରଣରୁ ରାଜ୍ୟବାସୀ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବସିଛନ୍ତି । ବିଜୁ ଜନତା ଦଳ ଶାସନରେ ଓଡ଼ିିଶାର ମା ଓ ଭଉଣୀମାନେ ନ୍ୟାୟ ପାଇବା ବର୍ତ୍ତମାନ ଦିବା ସ୍ୱପ୍ନରେ ପରିଣତ ହୋଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ରାଜ୍ୟର ଏଭଳି ଦୁଃସ୍ଥିତିରେ ମହାମହିମ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ଜିଲ୍ଲା ବିଜେପି ତରଫରୁ ନିବେଦନ କରାଯାଇଛି ।
ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ମହିଳା ବିରୋଧି ହିଂସା କ୍ରମାଗତ ବୃଦ୍ଧି ଘଟି ଚାଲିଥିବାବେଳେ, ଦଣ୍ଡବିଧାନ ହାର କ୍ରମାଗତ ହ୍ରାସ ପାଇଚାଲିଛି । ୨୦୨୦ରେ ୨୫,୪୮୯ଟି ମହିଳା ବିରୋଧି ଅପରାଧ ଘଟିଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୩୧,୩୫୨ରେ ପହଂଚିଛି । ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣରେ ୧୭.୮ ପ୍ରତିଶତ, ବଳାତ୍କାର ମାମଲା ୨୦.୨୩ ପ୍ରତିଶତ,ନାବାଳିକା ଯୈାନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । ସାଇବର୍ କ୍ରାଇମରେ ସମଗ୍ର ଦେଶରେ ଓଡ଼ିିଶା ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ହାସଲ କରୁଛି । ସାଇବର କ୍ରାଇମର ଶିକାର ହେଉଛନ୍ତି ଅଧିକାଂଶ ମହିଳା ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା,ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଗଣମଧ୍ୟମ ସହମୁଖ୍ୟ ସୁଜିତ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଶେକ ଆଚାର୍ଯ୍ୟ, ଦିଲୀପ ବେହେରା, ଜିଲ୍ଲାଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.