ବିଷାକ୍ତ ପାଇପ୍ ପାଣି ପିଇ ଆଖିବୁଜିଲେ ମହିଳା

23

ଭୁବନେଶ୍ବର: ପୁରୀରେ ଭୟଙ୍କର ହେଉଛି ବିଷାକ୍ତ ପାଇପ୍ ପାଣି ।ଏହାକୁ ପିଇ ପ୍ରାଣ ହରାଉଛନ୍ତି ସାଧାରଣ ଜନତା । ଏଭଳି ଏକ ଘଟରା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବିମାନବଡୁ ସାହିରୁ । ଏଠାକାର ଜଣେ ମହିଳା ବାସନ୍ତୀ ଦାଶ ଏହି ପାଣି ପିଇ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ନତିକରଣ ସମୟରେ କଟାଯାଇଥିଲା ପାଇପ୍ । ଯାହା ମଧ୍ୟରେ ମଇଳା ପାଣି ପଶି ଯାଇଥିବା ଜାଣିବାକୁ ମିଳିଛି । ତେବେ ଏହାକୁ ପିଇ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବାସନ୍ତୀ ମଧ୍ୟ ଏହାର ଶିକାର ହୋଇ ପୁରୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।ସୂଚନା ଅନୁଯାୟୀ, ଦୂଷିତ ପାଣି ପିଇ ବାସନ୍ତୀ ପ୍ରାୟ ୩ ଦିନରୁ ଝାଡାବାନ୍ତିର ଶିକାର ହୋଇଥିଲେ । ଏହାପରେ ଆଜି ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେପଟେ ଆଜି ପର୍ଯ୍ୟନ୍ତ ଏହି ଦୂଷିତ ପାଣିରୁ ମୁକ୍ତି ପାଇନାହାନ୍ତି ସ୍ଥାନୀୟ ଲୋକେ । ଉନ୍ନତୀକରଣରେ ପାଇପ୍ କଟାଯିବା ପରେ ସାହି ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ପରେ ଯେଉଁ ପାଣି ଯୋଗାଇ ଦିଆଯାଇଥିଲା, ତାହା ପିଇବା ଯୋଗ୍ୟ ନଥିଲା । ତେଣୁ ଏହି ପାଣି ପିଇ ବହୁ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ସହ ଏବେ ମୃତ୍ୟୁ ମାମଲା ମଧ୍ୟ ସାମନାକୁ ଆସିଛି ।

Comments are closed, but trackbacks and pingbacks are open.