ନିର୍ବାଚନ ପୂର୍ବରୁ ବଦଳିବେ ମୁଖ୍ୟମନ୍ତ୍ରୀ? ଅଲଗା ହେବେ ବିଜେପି-ଜେଜେପି

60

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଲୋକସଭା ଆସନକୁ ନେଇ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ବାଧୀନ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ବିବାଦ ଦେଖାଦେବା ପରେ ବିଜେପି ଏବେ ମେଣ୍ଟ ସରକାର ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି। ଅପରାହ୍ନରେ ଖଟ୍ଟରଙ୍କ ସହିତ ବିଜେପିର କ୍ଯାବିନେଟ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେବାର ଯୋଜନା ରହିଥିବା ସୂଚନା ରହିଛି।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ରହିଥିବା ବେଳେ କଂଗ୍ରେସର ୩୦ ଓ ଜେଜେପିର ୧୦ ବିଧାୟକ ଅଛନ୍ତି। ୭ ଜଣ ସ୍ୱାଧୀନ ହୋଇଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି) ଏବଂ ହରିୟାଣା ଲୋକହିତ ପାର୍ଟି (ଏଚଏଲପି)ରୁ ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ବିଜେପି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଦଳୀୟ ନେତା ତରୁଣ ଚୁଗଙ୍କୁ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ପଠାଇଛି ଏବଂ ଅପରାହ୍ନ ୧୨ଟାରେ ଡକାଯାଇଥିବା ବିଧାନସଭା ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି। କୁହାଯାଉଛି ହରିଆଣାରେ ମୋଟ୍ ୧୦ଟି ଲୋକସଭା ଆସନରୁ ବିଜେପି ଏକାକୀ ସମସ୍ତ ଆସନରେ ଲଢିବାକୁ ଚାହୁଁଛି । ହେଲେ ଜେଜେପି ୨ଟି ଆସନ ନିଜ ପାଇଁ ଦାବି କରୁଛି। ଏହାପରେ ମେଣ୍ଟ ଭାଙ୍ଗିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ସେପଟେ ପୁଣିଥରେ ସାକ୍ଷାତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡାଙ୍କଠାରୁ ସମୟ ମାଗିଛନ୍ତି ଦୁଷ୍ୟନ୍ତ ଚୌଟାଲା।

ଏବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ସମସ୍ତ ବିଧାୟକଙ୍କ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଯେଉଁଥିରେ ୭ ଜଣ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ଯୋଗଦେବାକୁ କୁହାଯାଇଛି। ନୂଆ ସରକାର ଗଠନ ହେଲେ ଖଟ୍ଟରଙ୍କ ସ୍ଥାନ ଆଉ କେହି ନେଇପାରନ୍ତି। ସେ କରନାଲ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ବିଜେପି ଏବଂ ଜେଜେପି ମଧ୍ୟରେ ଥିବା ବିବାଦ ମଧ୍ୟରେ ହରିୟାଣା ପ୍ରଭାରୀ ବିପ୍ଲବ ଦେବ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ବିଜେପି ରାଜ୍ୟ ସଭାପତି ନାଏବ ସାଇନି ମଧ୍ୟ ସ୍ୱାଧୀନ ବିଧାୟକଙ୍କ ସହ ବୈଠକ କରିପାରନ୍ତି । ଏହି ସମୟରେ ଜେଜେପି ନେତା ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟେଲା ମଧ୍ୟ ଦିଲ୍ଲୀରେ ତାଙ୍କ ବିଧାୟକଙ୍କ ସହ ଏକ ବୈଠକ ଡାକିଛନ୍ତି, ଯେଉଁଥିରେ ଆଗାମୀ ସମୟର ରଣନୀତି ଉପରେ ଆଲୋଚନା କରିବା ସହିତ ସରକାରଙ୍କୁ ସମର୍ଥନ କରିବା ପ୍ରସଙ୍ଗ ଉପରେ ମଧ୍ୟ ବିଚାର କରାଯିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଗୋଟିଏ ପଟେ ବିଜେପି ଅନେକ ଆଞ୍ଚଳିକ ଦଳକୁ ଏନଡିଏକୁ ଆଣିବାକୁ ପ୍ରସ୍ତୁତି ଚଳାଇଛି ଅନ୍ୟପଟେ ହରିଆଣାରେ ଏହାର ଓଲଟା ଦେଖିବାକୁ ମିଳିଛି। ୨୦୧୯ ବିଧାନସଭା ନିର୍ବାଚନ ପରେ ଜେଜେପି ସହ ମିଶି ବିଜେପି ଏଠାରେ ସରକାର ଗଢିଛି।

Comments are closed, but trackbacks and pingbacks are open.