ଗୁରୁ ନାନକଙ୍କୁ କାହିଁକି ଦେଖି ପାରିଲେନାହିଁ ବ୍ରହ୍ମଦାସ

69

ଥରେ ଗୁରୁ ନାନକ ଦେବ ନିଜ ଶିଷ୍ୟମାନଙ୍କ ସହିତ ଶ୍ରୀନଗରରେ ଯାଇ ପହଞ୍ଚିଥିଲେ I ଗୁରୁ ନାନକ ଜୀଙ୍କ ଆଗମନ ଖବର ପାଇବା ପରେ ତାଙ୍କ ସାନିଧ୍ୟ ପାଇବା ପାଇଁ ହଜାର ହଜାର ସଂଖ୍ୟାର ଲୋକ ଏକତ୍ରିତ ହୋଇଗଲେ । ସେହି ସମୟରେ ବ୍ରହ୍ମଦାସ ନାମକ ଜଣେ ପଣ୍ଡିତ ଶ୍ରୀନଗର ରେ ରହୁ ଥିଲେ। ସେ ଦେବୀମା’ଙ୍କର ପରମ ଉପାସକ ଥିଲେ ଏବଂ ଦେବୀଙ୍କର କୃପାରୁ ଅନେକ ସିଦ୍ଧି ହାସଲ କରିଥିଲେ। ସେ ନିଜର ଦୈବୀ କୃପାରୁ ଅନେକ ପ୍ରକାର ଚମତ୍କାର ପ୍ରଦର୍ଶନ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ I ଏହା ସହିତ ସେଠାକାର ଲୋକମାନଙ୍କ ମନରେ ବ୍ରହ୍ମଦାସ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ନେଇଥିଲେ I ମନେ ମନେ ସେ ନିଜକୁ ମହାନ ବୋଲି ଭାବୁଥିଲେ I ଗୁରୁ ନାନକ ଦେବଙ୍କ ବିଷୟରେ ସୂଚନା ପାଇବା ପରେ ସେ ସେଠାରେ ପହଞ୍ଚି ନିଜର ଦକ୍ଷତା ଦେଖାଇବା ପାଇଁ ଲୋକଙ୍କ ଗହଳି ଭାଙ୍ଗି ଭିତରକୁ ଗଲେ । ସେଠାରେ ଭିଡ଼ ଥିଲା କିନ୍ତୁ ସେ ଗୁରୁ ନାନକ ଦେବଙ୍କୁ ଦେଖିପାରିଲେ ନାହିଁ I

କିଛି ସମୟ ବ୍ରହ୍ମଦାସ ଏପଟ ସେପଟ ଚାହିଁବା ପରେ ଗହଳି କରିଥିବା ଲୋକମାନଙ୍କୁ ପଚାରିଲେ,ଗୁରୁ ନାନକଦେବ କେଉଁଠି ?? ଲୋକମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲେ ଏବଂ ନିଜ ସମ୍ମୁଖରେ ଗୁରୁ ବସିଥିବା କଥା କହିଲେ I କିନ୍ତୁ ବ୍ରହ୍ମଦାସ ଭାବିଲେ ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି I ଏଠାରେ ତ ଗୁରୁ ନାନକ ନାହାଁନ୍ତି I ସେ ତାଙ୍କୁ ଦେଖି ନପାରି ନିରାଶ ହୋଇ ଫେରିଗଲେ। ଘରକୁ ଆସିବା ପରେ ସେ ସାଙ୍ଗରେ ଥିବା ସେବକଙ୍କୁ ପଚାରିଲେ, ତୁମେ ଗୁରୁ ନାନକ ଦେବଙ୍କୁ ଦେଖିଲ କି? ସେ ହଁ କହିଲେ ,ଗୁରୁ ନାନକ ଦେବ ସେଇଠି ହିଁ ବସିଥିଲେ । ତା’ପରଦିନ ପୁଣିଥରେ ପଣ୍ଡିତ ବ୍ରହ୍ମଦାସ ନମ୍ରତାର ସହିତ ଗୁରୁଙ୍କୁ ଦେଖିବାକୁ ଗଲେ I ସେତେବେଳେ ଦେଖିଲେ ଯେ ଉଜ୍ଜ୍ୱଳ ଚେହେରା ଗୁରୁ ନାନକ ଦେବ ବସି ସତସଙ୍ଗ କରୁଛନ୍ତି।

ସତସଙ୍ଗ ଶେଷ ହେବା ପରେ ପଣ୍ଡିତ ବ୍ରହ୍ମଦାସ ଗୁରୁ ନାନକ ଦେବଙ୍କ ନିକଟକୁ ଯାଇ ପଚାରିଲେ, ‘ଗତକାଲି ମୁଁ ଏଠାକୁ ଆସିଥିଲି, କିନ୍ତୁ ଆପଣଙ୍କୁ ଦେଖି ପାରିଲି ନାହିଁ। ଏହାର କାରଣ କ’ଣ ହୋଇପାରେ? ’ଗୁରୁ ନାନକ କହିଥିଲେ,‘ ମୁଁ ତୁମକୁ ଏତେ ଅନ୍ଧକାରରେ କିପରି ଦେଖିବି! ’ବ୍ରହ୍ମଦାସ କହିଲେ , ମୁଁ ତ ଦିନ ଆଲୁଅରେ ଆସିଥିଲି I ଉପରେ ଉଜ୍ଜ୍ୱଳ ସୂର୍ଯ୍ୟ ଆଲୋକ ଥିଲା , ତେବେ ଅନ୍ଧକାର କିପରି ହେଲା? ’ଗୁରୁ ନାନକ ଦେବ ସ୍ମିତ ହାସ୍ୟ ଦେଇ କହିଲେ, ‘ଅହଂକାର ଠାରୁ କୌଣସି ଅନ୍ଧକାର ଅଛି କି? ତୁମେ ତୁମର ଜ୍ଞାନ ଏବଂ ସଫଳତାର ଅହଂକାରରେ, ନିଜକୁ ଅନ୍ୟ ଲୋକଙ୍କ ତୁଳନାରେ ଉଚ୍ଚ ବୋଲି ଭାବିବାକୁ ଲାଗିଲ I ନିଜ ଦୈବୀ କୃପା ଜନିତ ଅହଂକାର ରେ ଏତେ ମାତ୍ରାରେ ବୁଡି ଯାଇଥିଲ ଯେ ଅନ୍ୟ ମାନଙ୍କୁ ତୁଚ୍ଛ ବୋଲି ଭାବୁଥିଲା I ବ୍ରହ୍ମାଦାସ ତାଙ୍କ ଭୁଲ ବୁଝିଗଲେ I ସେ ଗୁରୁ ନାନକ ଦେବଙ୍କଠାରୁ କ୍ଷମା ପ୍ରାଥନା କରି ନିଜର ମାନସିକ ମାନସିକ ଶାନ୍ତି ଏବଂ ଉନ୍ନତି ପାଇଁ ଜ୍ଞାନ ପ୍ରାପ୍ତି କଲେ । ଏହା ସହିତ ଜୀବନରେ କେବେ ମଧ୍ୟ ନିଜ ସିଦ୍ଧି ପ୍ରାପ୍ତ କରିଥିବା ଜ୍ଞାନର ଅହଂକାର ର ବଶବର୍ତ୍ତୀ ହେବେ ନାହିଁ ବୋଲି ଶପଥ ନେଇଥିଲେ I

Comments are closed, but trackbacks and pingbacks are open.