ଭଲିବଲରେ ନୂଆ ଗିନିଜ୍‍ ବିଶ୍ୱ ରେକର୍ଡ କଲା କିସ୍‍

36

ଭୁବନେଶ୍ୱର : ପୁରୁଣା ଗିନିଜ ବିଶ୍ୱ ରେକର୍ଡକୁ ଭାଙ୍ଗିଛି କିସ୍‍ । ନିକଟରେ ଅନୁଷ୍ଠିତ ହୋଇଯାଇଥିବା କିସ୍‍ ଭଲିବଲ୍‍ ମହୋତ୍ସବରେ କିସ୍‍ ଏହି ରେକର୍ଡ ଭାଙ୍ଗିଛି । ଭଲିବଲ୍‍ ମହୋତ୍ସବ ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମ୍ୟାଚ୍‍ରେ ୪୩୦ ଖେଳାଳି ଦୀର୍ଘ ୮ଘଣ୍ଟା ଧରି ଗୋଟିଏ ମ୍ୟାଚ୍‍ ଖେଳି ମୋଟ ୭୩୬-୭୫୬ ପଏଣ୍ଟ ସ୍କୋର ସହ ଏହି ରେକର୍ଡ କରିଛନ୍ତି । କିଟ୍‍, କିସ୍‍ ଓ ଆନ୍ତର୍ଜାତିକ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି)ର ମିଳିତ ଉଦ୍ୟମରେ ଏହି ରେକର୍ଡ ସମ୍ଭବ ହୋଇପାରିଛି ।  ପୂର୍ବରୁ ୨୦୧୧ରେ ଫ୍ରାନ୍‍ସରେ ଏହିପରି ଏକ ପ୍ରୟାସ କରାଯାଇଥିଲା। ଏହି ମ୍ୟାଚରେ ୨୯୪ ଖେଳାଳି ଅଂଶ ଗ୍ରହଣ କରି ସେତେବେଳେ ଏକ ବିଶ୍ୱ ରେକର୍ଡ କରିଥିଲେ। ଏହି ରେକର୍ଡକୁ କିସ୍‍ ଭାଙ୍ଗିବାରେ ସକ୍ଷମ ହୋଇଛି ।

ସୂଚନାଯୋଗ୍ୟ, ‘କିସ୍‍ ଭଲିବଲ୍‍ ମହୋତ୍ସବ’ରେ ସମଗ୍ର ଭାରତରୁ ୫ହଜାର ଛାତ୍ରଛାତ୍ରୀ ଖେଳାଳି ଭାବେ ଅଂଶଗ୍ରହଣ କରିଥିବା ବେଳେ ଗ୍ୟାଲେରୀରେ ୪୦ ହଜାର ଦର୍ଶକ ଏହାର ମଜା ନେଇଥିଲେ। କିସ୍‍ ଭଲିବଲ୍‍ କ୍ରୀଡ଼ା ମହୋତ୍ସବରେ ମୋଟ ୬୦ଟି ଆଉଟ୍‍ ଡୋର କୋର୍ଟ ଓ ବିଭିନ୍ନ ଇନଡୋର ଭେନ୍ୟୁରେ ଖେଳାଳିମାନେ ମ୍ୟାଚ୍‍ ଖେଳିଥିଲେ।

ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଏଫ୍‍ଆଇଭିବି ଓ ଏହାର ସଭାପତି ଆରି ଗ୍ରାସାଙ୍କୁ ଧନ୍ୟବାଦ ଦେବା ସହ ଏହି ରେକର୍ଡ ସବୁଦିନ ପାଇଁ କିସ୍‍ ଓ ଓଡ଼ିଶା ନାଁରେ ରହିଗଲା ବୋଲି କହିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଏହା କିସ୍‍ ଓ ଓଡ଼ିଶା ପାଇଁ ପ୍ରଥମ ଗିନିଜ୍‍ ବିଶ୍ୱ ରେକର୍ଡ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.