ଗଣତନ୍ତ୍ରରେ ହିଂସା ର ଅନ୍ତ କେଉଁଠି ?

14

ଏଥର ପଞ୍ଚାୟତ ନିର୍ବାଚନ ରେ ଦେଖାଦେଇଥିବା ରାଜନୈତିକ ହିଂସାକାଣ୍ଡ ଚରମ ସୀମାରେ ପହଂଚିଛି I ଦ୍ଵିତୀୟ ପର୍ଯ୍ୟାୟ ମତ ଦାନ ସମୟରେ ଦେଖାଦେଇଥିବା ହିଂସାକାଣ୍ଡ ଠାରୁ ଉଗ୍ର ରୂପ ନେଇଛି ତୃତୀୟ ପର୍ଯ୍ୟାୟ ମତଦାନ ବେଳ ର ହିଂସାକାଣ୍ଡ I କେନ୍ଦ୍ରାପଡାରେ ବୁଥରେ ପଶି ଶାସକ ଦଳ ବିଧାୟକଙ୍କ ଦାଦାଗିରି ତ କେଉଁଠି ରକ୍ତମୁଖା ବିଜେଡି, ପୋଲିସ-ଜନତା ଖଣ୍ଡଯୁଦ୍ଧ । ପୁଣି ଯାଜପୁର ରେ ବୁଥ ରିଂଗିଙ୍ଗ ସାଙ୍ଗକୁ ପ୍ରିଜାଇଡିଂ ଅଫିସର ,ବିଡ଼ିଓ ଙ୍କ ସମେତ କର୍ତବ୍ୟରତ ସାମ୍ବାଦିକ ଙ୍କୁ ମାଡ଼ ମରI ଘଟଣା I ତେବେ ଆମ ସମ୍ଭିଧାନରେ ଅହିଂସା ଥିବାବେଳେ , ଗଣତନ୍ତ୍ରରେ କାହିଁକି ଏତେ ହିଂସା? ଗଣତନ୍ତ୍ରରେ ହିଂସା ର ଅନ୍ତ କେଉଁଠି ?? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଆଉ ଉତ୍ତେଜନାର ଚିତ୍ର । ଆଜି ନୁହେଁ ଲଗାତାର ଭାବେ ଘଟିଚାଲିଛି ଏପରି ଅଘଟଣ ।
କେନ୍ଦ୍ରାପଡା ରାଜନଗର ବ୍ଲକ ଡେରା ପଞ୍ଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗୋଖଣୀ ଗାଁରେ ମତଦାନ ବେଳେ ପୋଲିସ ଜନତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଛି । ସେପଟେ ଅଧରାତ୍ରିରେ ଗାଁ ଗାଁ ବୁଲିବା ମହଙ୍ଗା ପଡିଲା ସରପଞ୍ଚ ପ୍ରାର୍ଥୀଙ୍କୁ । ଅଟକାଇଲେ ଗ୍ରାମବାସୀ । ପ୍ରଶ୍ନ ବାଣରେ ଛନ୍ଦି ହଟହଟା କଲେ ଗ୍ରାମବାସୀ ।
ସେହିପରି ନିଆଳିରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ସାଧାରଣ ଲୋକଙ୍କ ଉପରେ ବିଜେଡିର ଆକ୍ରୋସ। ବିଜେଡିକୁ ସମର୍ଥନ ନକରି କ୍ୟାମ୍ପେନରେ ନଯିବାରୁ ଲୋକଙ୍କୁ ମାଡ଼। ରାତି ଅଧରେ ଉଠେଇ ନେଇ ମାଡ଼ ମାରିଲେ ବିଜେଡି କର୍ମୀ। ନିଆଳି ଥାନା ଅନ୍ତର୍ଗତ ଅଲଗା ଗ୍ରାମପଞ୍ଚାୟତ ଓଳା ଅଂଶ ଗାଁରେ ରାଜନୈତିକ ହିଂସା ।
ବୁଥ୍ ଆଗରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ତିହିଡି ବ୍ଲକରେ ଗୁଡୁପାଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଦ୍ୟାଳୟରେ ୨୦, ୨୧, ୨୨ ନମ୍ବର ବୁଥ ଆଗରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଜମୁନାବାହାଲରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଦୁଇ ଜଣ ବିଜେପି କର୍ମୀ ଲହୁ ଲୁହାଣ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କ ନାଁ ରେ ଭବାନିପାଟଣା ସଦର ଥାନାରେ ଅଭିଯୋଗ ହୋଇଛି ।
ଯାଜପୁର କୋରେଇ ବ୍ଲକରେ ନିର୍ବାଚନୀ ହିଂସା । ଗୋଳେଇପୁର ପଞ୍ଚାୟତ ସୋତି ଗାଁର ୮,୯,୧୦,୧୧ ନମ୍ବର ବୁଥରେ ଉତ୍ତେଜନା । ବିଡ଼ିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ । କିଛି ଦୁର୍ବୃତ୍ତ ବୁଥ ଜବରଦଖଲ କରିବା ସହ ବିଡିଓଙ୍କୁ ମାଡ଼ ମାରିଛନ୍ତି । ମତଦାନ ବନ୍ଦ ।
କୋରାପୁଟ ନାରାୟଣପାଟଣାରେ ମତଦାନ ଚାଲିଥିବା ବେଳେ ବୁଥରେ ଉତ୍ତେଜନା । ଗିତିଗୁଡ଼ା ପଞ୍ଚାୟତ ୨ ନମ୍ବର ବୁଥରେ ପାଟିତୁଣ୍ଡ କରିଥିଲେ ବିଜେଡି କର୍ମୀ । ଶାସକ ଦଳର ସମର୍ଥିତ ସରପଞ୍ଚ ଓ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ କହିବା ସହ ଗଣ୍ଡଗୋଳ କରିଥିଲେ କର୍ମୀ । ଭଦ୍ରକ ଜିଲ୍ଲାରେ ମତଦାନ କେନ୍ଦ୍ର ବନ୍ଦ, ପ୍ରିଜାଇଡିଙ୍ଗ ଅଫିସରଙ୍କୁ ମାଡ, ପାଣିରେ ଭାସୁଛି ବାଲଟ
ପେପର । କୋଲହ ପଞ୍ଚାୟତର ୪ ନଂ ବୁଥ୍ ରେ ବାଲେଟ ପେପର ଫୋଲଡିଂ ର ଚି଼ହ୍ନ ଦେଖା ଯାଉ ନ ଥିବାରୁ ଉତ୍ୟକ୍ତ ହୋଇ ଲୋକମାନେ ମତଦାନ କେନ୍ଦ୍ର ବନ୍ଦ କରିଥିଲେ । ପ୍ରିଜାଇଡିଙ୍ଗ ଅଫିସରଙ୍କୁ ମାଡ଼ ମାରିଥିଲେ । ଭୋଟ ବାକ୍ସକୁ ଏକ ଗଢିଆରେ ପକାଇଦେଇଥିଲେ । ବାଲଟ ପେପର ପାଣିରେ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ନିର୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଗାଁ କଙ୍ଗାରୁକୋର୍ଟରେ ୧୦ ଲକ୍ଷ ଫାଇନ ଦେବେ ଗ୍ରାମବାସୀ I ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମରୁ ଆସିଛି ଏଭଳି ସଂଗୀନ ଅଭିଯୋଗ l ନୟାଗଡ଼ ଜିଲ୍ଲା କିରିଆଲାଞ୍ଜି ଗ୍ରାମର ଶାସକଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଗାଁ ଲୋକେ କଙ୍ଗାରୁ କୋର୍ଟ ବସାଇ ନିଷ୍ପତି ନେଇଛନ୍ତି l
ଭୋଟ ବର୍ଜନ କଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଖାନୁଆ ପଞ୍ଚାୟତର ନୁରିସାହି ଗ୍ରାମର ୩୧୬ ଭୋଟର୍ ଭୋଟ୍ ବର୍ଜନ କରିଛନ୍ତି । ବନ୍ଦ ଥିବା ବିଦ୍ୟାଳୟକୁ ଖୋଲିବା ପାଇଁ ପ୍ରଶାସନ ନିକଟରେ ଦାବି ହୋଇଥିଲେ ମଧ୍ୟ ପୂରଣ ହୋଇପାରିନଥିବାରୁ ଲୋକେ ଭୋଟ ବର୍ଜନ କରିଛନ୍ତି ।
ଭୋଟ୍ ବାକ୍ସ ଉଠାଇ ନେଲେ ଡଙ୍ଗରିଆ କନ୍ଧ । ଗ୍ରାମବାସୀଙ୍କ କବଜାରେ ଭୋଟବାକ୍ସ । ଭୋଟର ତାଲିକାରେ ନାଁ ନ ଥିବାରୁ ଏବଂ ଭୋଟ ଦାନରୁ ବଂଚିତ ହେବାରୁ ଉତ୍ୟକ୍ତ ହୋଇ ବୁଥରେ ଭଙ୍ଗାରୁଜା ସହ ଭୋଟବାକ୍ସ ଉଠାଇ ନେଇଛନ୍ତି । ରାୟଗଡା ସନାଖଣ୍ଡି ପଂଚାୟତର ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ର ଡଙ୍ଗରିଆ ଭୋଟରମାନେ ଏଭଳି କରିଥିବା ଅଭିଯୋଗ ହୋଇଛି । ଭୋଟ ଦେବାର ବ୍ୟବସ୍ଥା କରାଯିବା ପରେ ହିଁ ଭୋଟବାକ୍ସକୁ ଫେରାଇବୁ ବୋଲି କହିଛନ୍ତି ଗ୍ରାମବାସୀ ।
ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ୧ନଂ ୱାର୍ଡରେ ଥିବା କୃଷ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ତେଜନା। ପ୍ରଥମେ କଥା କଟା କଟି ଓ ହାତା ହାତି ହୋଇଥିଵା ଦେଖିବାକୁ ମିଳିଛି । ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଚିରି ଦିଆଯାଇଥିଲା । ସ୍କୁଲ ନାହିଁ ତ ଭୋଟ ନାହିଁ। ଭୋଟ ବର୍ଜନ କରିଛନ୍ତି ବିଜେପୁର ବ୍ଲକ ସାଇପାଲି ପଞ୍ଚାୟତ ସାଲେଦମକି ଗାଁର୍ ଲୋକେ । ସ୍କୁଲକୁ କାର୍ଯ୍ୟକ୍ଷମ କରିବା ଦାବିରେ ହୋଇଛି ଏହି ଭୋଟବର୍ଜନ ।

Comments are closed, but trackbacks and pingbacks are open.