ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା: ତଦନ୍ତ କରିବ ଜାତୀୟ ଅନୁସୂଚିତ ଜାତି ଆୟୋଗ

133

ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ଘଟଣାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ଗୁରୁତ୍ୱର ସହ ନେଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର ଆୟୋଗର କୋଲକାତାସ୍ଥ ଆଞ୍ଚଳିକ କାର୍ଯ୍ୟାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ଦୁର୍ଗାପୁର ହସ୍ପିଟାଲ୍ ଯାଇ ପୀଡ଼ିତାଙ୍କୁ ଭେଟି ସବିଶେଷ ତଥ୍ୟ ସଂଗ୍ରହ କରିବ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପରେ ଆୟୋଗ ‘ଆଟ୍ରୋସିଟି ସିଟି’ ମାମଲା ଦାୟର ସହ ପୀଡ଼ିତାଙ୍କୁ ସରକାରୀ ନିୟମାନୁସାରେ କ୍ଷତିପୂରଣ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସୂଚାନୁସାରେ ପୀଡ଼ିତା ଜଣେ ଅନୁସୂଚିତ ଜାତି ବର୍ଗର ବୋଲି ଆୟୋଗ ପ୍ରାରମ୍ଭିକ ରିପୋର୍ଟରୁ ଜାଣି ପାରିଛନ୍ତି। ଓଡ଼ିଶାର ଜଳେଶ୍ୱର ଇଲାକାରେ ତାଙ୍କର ଘର। ତାଙ୍କୁ କେମିତି ଉଚିତ୍ ନ୍ୟାୟ ମିଳିବ, ସେନେଇ ଆୟୋଗ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ସହ ଯୋଗାଯୋଗ କରିଛନ୍ତି। ଉକ୍ତ ବିଭାଗ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପୀଡ଼ିତାଙ୍କ ପ୍ରକୃତ ଘର ଏବଂ ସେ ଦଳୀତ ବର୍ଗର କି ନୁହେଁ, ତା’ର ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେଇ ରିପୋର୍ଟ ଜାତୀୟ ଅନୁସୂଚିତ ଜାତି ଆୟୋଗକୁ ପଠାଯାଇଛି। ଉଲ୍ଲେଖନୀୟ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ଦ୍ୱିତୀୟ ବର୍ଷର ପଢୁଥିବା ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମର ହୋଇଥିଲେ। କଲେଜ କ୍ୟାମ୍ପସ୍ ବାହାରକୁ ଜଣେ ପୁରୁଷ ବନ୍ଧୁଙ୍କ ସହ ସେ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିବା ସହ ନିଛାଟିଆ ଜାଗାକୁ ଟାଣିନେଇ ଜଙ୍ଗଲିଆ ଜାଗାରେ ଗଣଦୁଷ୍କର୍ମ କରିଥିଲେ। ପୁରୁଷ ବନ୍ଧୁ ଯୁବତୀଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଇଥିଲେ। ପୀଡ଼ିତାଙ୍କଠାରୁ ମୋବାଇଲ୍ ଓ ୫ହଜାର ଟଙ୍କା ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ଏବେ ସଂଘର୍ଷ କରୁଛନ୍ତି ପୀଡ଼ିତା। ପଶ୍ଚିମବଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାକୁ ନେଇ ମେଡିକାଲ କଲେଜ କ୍ୟାମ୍ପସ୍ ସମେତ ଦୁର୍ଗାପୁରରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦ ପ୍ରଦର୍ଶନ ଜାରି ରଖିଛନ୍ତି ସମ୍ପୃକ୍ତ ମେଡିକାଲ୍ କଲେଜର ଶତାଧିକ ଛାତ୍ରଛାତ୍ରୀ। ତିନି ପ୍ରମୁଖ ଅଭିଯୁକ୍ତଙ୍କ ସହ ୧୨ ଜଣଙ୍କୁ ଦୁର୍ଗାପୁର ପୁଲିସ ଗିରଫ କରିଛି।

Comments are closed, but trackbacks and pingbacks are open.