ଭୁବନେଶ୍ୱର :ପ୍ରାଣୀ କଲ୍ୟାଣ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଧାରାର ମୂଳ କେନ୍ଦ୍ରବିନ୍ଦୁ ଥିଲା। ସେ କେବଳ ଉପଦେଶ ଦେଉନଥିଲେ, ନିଜ ଆଚରଣ ଓ କାର୍ଯ୍ୟରେ ତାହାକୁ ପ୍ରତିଫଳିତ କରୁଥିଲେ। ତେଣୁ ସମସ୍ତ ଜୀବଜଗତ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଲେ ହିଁ ଆମେ ଗାନ୍ଧୀଜୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବା-ଏପରି ମତ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ଶ୍ରୀମତୀ ମାନେକା ସଞ୍ଜୟ ଗାନ୍ଧୀ। ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ପୂର୍ବତନ ବିଧାୟକ ଓ ‘ପାଟକୁରାର ଗାନ୍ଧୀ’ ଭାବେ ପରିଚିତ ରାଜକିଶୋର ନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ, ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ଷୋଡ଼ଶ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା ସମାରୋହ’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ‘ଗାନ୍ଧୀଜୀ ଓ ପ୍ରାଣୀ କଲ୍ୟାଣ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀମତୀ ଗାନ୍ଧୀ ଏହି ମତ ରଖିଥିଲେ। ତାଙ୍କ ବକ୍ତବ୍ୟରେ ଶ୍ରୀମତୀ ଗାନ୍ଧୀ କହିଥିଲେ-‘ଗାନ୍ଧୀ’ ଶବ୍ଦଟି ସୁଗନ୍ଧରୁ ଆସିଛି। ଗାନ୍ଧୀଜୀ ନିଜେ ଏକ ସୁଗନ୍ଧିତ ବ୍ୟକ୍ତିତ୍ୱ ଥିଲେ। ସେ ଯେଉଁଠି ଯାଉଥିଲେ, ସେଠାରେ ନୀତି, କରୁଣା ଓ ମାନବିକତାର ସୁଗନ୍ଧ ପ୍ରସାରିତ ହେଉଥିଲା। ପ୍ରାଣୀ କଲ୍ୟାଣ ତାଙ୍କ ଜୀବନର ଅଭିନ୍ନ ଅଂଶ ଥିଲା। ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଉକ୍ତି-‘ଗୋଟିଏ ଦେଶ ନିଜ ଜୀବଜନ୍ତୁଙ୍କ ପ୍ରତି କିପରି ବ୍ୟବହାର କରେ, ତାହା ଦ୍ୱାରା ହିଁ ସେ ଦେଶର ମହାନତା ଓ ନୈତିକ ପ୍ରଗତି ମାପାଯାଇପାରେ’-କୁ ଉଦ୍ଧୃତ କରି ସେ କହିଥିଲେ ଯେ, ଜୀବ ସୁରକ୍ଷା ମଣିଷର ନୈତିକ କର୍ତ୍ତବ୍ୟ। ଶ୍ରୀମତୀ ଗାନ୍ଧୀ କହିଥିଲେ, ଧର୍ମ ସବୁବେଳେ ସମସ୍ତ ଜୀବନ୍ତ ପ୍ରାଣୀକୁ ସମ୍ମାନ ଦେବା ଶିଖାଏ। ଦିନସାରା ନୃଶଂସ ଆଚରଣ କରି ରାତିରେ ଭଗବାନଙ୍କୁ କ୍ଷମା ମାଗିବା-ଏହା ଗାନ୍ଧୀ ଦର୍ଶନ ସହ ସମନ୍ୱୟଶୀଳ ନୁହେଁ। ଗାନ୍ଧୀଜୀ କହୁଥିଲେ, ମଣିଷ ଜନ୍ମଗତ ଭାବେ ଶାକାହାରୀ; ପ୍ରାଣୀ ଜଗତ ଉପରେ ମଣିଷର ଅତ୍ୟାଚାର ସବୁଠାରୁ ବଡ଼ ହିଂସା। କୌଣସି ଜୀବ ପ୍ରତି ନିର୍ଯ୍ୟାତନା ହିନ୍ଦୁତ୍ୱର ଅବମାନନା। ନିଜ ଜୀବନାନୁଭବ ଉଲ୍ଲେଖ କରି ସେ କହିଥିଲେ-ଯୁବାବସ୍ଥାରେ ସେ ଆମିଷ ଖାଉଥିଲେ, କିନ୍ତୁ ସବୁବେଳେ ଜୀବ ସୁରକ୍ଷାର ପକ୍ଷେ କଥା କହୁଥିଲେ। ତାଙ୍କ ସ୍ୱାମୀଙ୍କ ଏକ ଉପଦେଶ ପରେ ସେ ନିଜ ଆଚରଣ ଉପରେ ଚିନ୍ତନ କରି ସେଇ ରାତିରୁ ଆମିଷ ଖାଦ୍ୟ ସମ୍ପୂର୍ଣ୍ଣ ବର୍ଜନ କରିଥିଲେ। ରାଜକିଶୋର ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀମତୀ ଗାନ୍ଧୀ କହିଥିଲେ ଯେ, ଜୀବ ସୁରକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ‘ପିପୁଲ୍ସ ଫର୍ ଆନିମଲ୍ସ’ ପକ୍ଷରୁ ତାଙ୍କୁ ପୂର୍ବରୁ ସମ୍ମାନିତ କରାଯାଇଥିଲା। ‘ମହାତ୍ମା ଗାନ୍ଧୀ ଓ ପ୍ରାଣୀ କଲ୍ୟାଣ’ ଭିଷୟରେ ଏହି ଆଲୋଚନା ସମଗ୍ର ଭାରତରେ ପ୍ରଥମ ବୋଲି ଉଲ୍ଲେଖ କରି ସେ ଫାଉଣ୍ଡେସନକୁ ସାଧୁବାଦ ଜଣାଇଥିଲେ। ସମାରୋହରେ ଭିତ୍ତି ଭାଷଣ ପ୍ରଦାନ କରି ପ୍ରଫେସର ନିବେଦିତା ମହାନ୍ତି ରାଜକିଶୋର ନାୟକଙ୍କୁ ଏକ ପ୍ରକୃତିପ୍ରେମୀ, ଜୀବନ୍ତୁପ୍ରେମୀ ଓ ପରିବେଶ ସଚେତନ ନେତା ଭାବେ ସ୍ମରଣ କରିଥିଲେ। ଏକ ଉନ୍ନତ ଓ ନୈତିକ ସମାଜ ଗଠନ ତାଙ୍କର ସ୍ୱପ୍ନ ଥିଲା ବୋଲି ସେ କହିଥିଲେ। ପ୍ରାରମ୍ଭରେ ଫାଉଣ୍ଡେସନର କର୍ମକର୍ତ୍ତା ଓ ରାଜକିଶୋର ନାୟକଙ୍କ ପୁତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରି କହିଥିଲେ-ଯେପର୍ଯ୍ୟନ୍ତ ଗାନ୍ଧୀ ବିଚାରଧାରା ଲୋକମlନସରେ ପ୍ରଭାବ ପହଞ୍ଚଉଥିବେ , ସେପର୍ଯ୍ୟନ୍ତ ଗାନ୍ଧୀ ଚିରଞ୍ଜିବୀ ହୋଇ ରହିବେ। ସମାରୋହରେ ସଭାପତିତ୍ୱ କରି ପ୍ରହଲାଦ କୁମାର ସିଂହ, ଗାନ୍ଧୀଜୀଙ୍କ ‘ତିନି ମାଙ୍କଡ଼’ ଦର୍ଶନ ସ୍ମରଣ କରି ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ମଞ୍ଚାସୀନ ଥିଲେ। ଡା. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନୀଳୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed, but trackbacks and pingbacks are open.