ପ୍ରତିଟି ବୁଥ୍‌ରେ ମତଦାତାଙ୍କୁ ସ୍ୱାଗତ କରିବାକୁ ଆମେ ପ୍ରସ୍ତୁତ: ମୁଖ୍ୟ ନିର୍ବାଚନ ଅଧିକାରୀ

179

ଭୁବନେଶ୍ୱର : ରାତି ପହିଲେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ I ମଇ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଏହି ପରିପ୍ରେକ୍ଷୀରେ ପ୍ରତିଟି ବୁଥ୍‌ରେ ମତଦାତାଙ୍କ ସୁଖଦ ମତଦାନର ଅନୁଭୂତି ପାଇଁ ନିର୍ବାଚନ କର୍ମଚାରୀମାନେ ପ୍ରସ୍ତୁତ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ଏହି ପର୍ଯ୍ୟାୟରେ ୭୩୦୩ ମତଦାନ କେନ୍ଦ୍ରରେ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ।
ମଇ ୧୩ରେ ମତଦାନ କରାଇବା ପାଇଁ ପୋଲିଂ ପାର୍ଟିଗୁଡ଼ିକ ପୋଲିଂ ଷ୍ଟେସନ୍‌କୁ ଯାଇସାରିଛନ୍ତି । ଏଥି ପାଇଁ ମଇ ୧୧ରେ ୩୯୧୨ ପୋଲିଂ ପାର୍ଟି ଓ ମଇ ୧୨ରେ ୩୩୯୧ ପୋଲିଂ ପାର୍ଟି ପୋଲିଂ ଷ୍ଟେସନ୍‌କୁ ଯାଇସାରିଛନ୍ତି । ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୬ ଟି ବୁଥ୍‌ ପାଇଁ ପୋଲିଂ ପାର୍ଟିଗୁଡ଼ିକୁ ଏୟାର ଡ୍ରପ୍‌ କରାଯାଇଛି । ଅନେକ ଅଞ୍ଚଳକୁ ବୋଟ୍‌ ମାଧ୍ୟମରେ ନଦୀ ପାରି ହୋଇ ପୋଲିଂ ପାର୍ଟିଗୁଡ଼ିକ ଯାତ୍ରା କରିଛନ୍ତି । ଏସବୁ ଐତିହାସିକ ମୁହୂର୍ତ୍ତ ନିର୍ବାଚନକୁ ଦେଶର ପ୍ରକୃତ ମହାନତମ ଗଣପର୍ବ ରୂପେ ପ୍ରତିଷ୍ଠିତ କରିବା ସହ ‘ମତଦାନର ପର୍ବ- ଆମ ଦେଶର ଗର୍ବ’ ବାର୍ତ୍ତାକୁ ସାର୍ଥକ କରୁଛି । ଏହି ୪ ସଂସଦୀୟ କ୍ଷେତ୍ରର ସମସ୍ତ ନାଗରିକଙ୍କୁ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଅନୁରୋଧ କରି ନିଜ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଅପିଲ୍‌ କରିଛନ୍ତି

Comments are closed, but trackbacks and pingbacks are open.