ପୁଲିସର ଆଧୁନିକୀକରଣ,ସଂସ୍କାର ପାଇଁ ଆମେ ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

46

ଭୁବନେଶ୍ୱର : ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୋଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଓ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡ଼ିବ। ବିଶେଷକରି ସାଧାରଣ ଲୋକମାନଙ୍କର ବିଶ୍ୱାସ ଭାଜନ ହେବାକୁ ହେବ। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ୱରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ। ଆଗାମୀ ଦିନରେ ଦୈନନ୍ଦିନ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନ୍ ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ ଇତ୍ୟାଦି କ୍ଷେତ୍ରରେ ଆପଣମାନେ ପୁଲିସ ବାହିନୀର ନେତୃତ୍ୱ ନେବେ। ଆଜିଠାରୁ, ଆପଣମାନେ କଠିନ ରୁ କଠିନ ଆହ୍ୱାନ ଗୁଡିକ ପାଇଁ ପ୍ରସ୍ତୁତ ହେବା ଉଚିତ। ମୁଁ ଦୃଢ ନିଶ୍ଚିତ ଯେ ଆପଣମାନଙ୍କ ଦକ୍ଷତା, ବିଶେଷ ଭାବରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଶକ୍ତିଶାଳୀ କରିବ ଏବଂ ସାଇବର ଅପରାଧର ମୂଳୋତ୍ପାଟନ କରିବାରେ ସକ୍ଷମ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ବର୍ତ୍ତମାନ ସମୟ ଅତି ଦ୍ରୁତ ଗତିରେ ବଦଳୁଛି। ଆଜି କାଲି ଅପରାଧୀମାନେ ମଧ୍ୟ ହାଇ-ଟେକ୍ ହେଉଛନ୍ତି। ଏପରି ଅପରାଧକୁ ରୋକିବା ପାଇଁ ପୋଲିସ ବଳକୁ ମଧ୍ୟ ଆଧୁନିକ ତଦନ୍ତ ପ୍ରକ୍ରିୟା ଏବଂ ଟେକ୍ନୋଲୋଜି ଆପଣାଇବା ଆବଶ୍ୟକ। ମୁଁ ଅତ୍ୟନ୍ତ ଖୁସି ଯେ ଓଡିଶା ପୁଲିସ ଏପରି ଅନେକ ବ୍ଳାଇଣ୍ଡ କେସକୁ ନିଜ ବୁଦ୍ଧିମତା, ତଦନ୍ତ ଟେକ୍‌ନିକ ପ୍ରୟୋଗ କରି ଅପରାଧୀକୁ ଖୁବ ଅଳ୍ପ ସମୟରେ ଧରିବାକୁ ସମର୍ଥ ହୋଇଛନ୍ତି। ପୁଲିସର ଆଧୂନିକୀକରଣ ଓ ପୁଲିସ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ପୁଲିସ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆମ ସରକାର ଅବଗତ ଅଛନ୍ତି। ପୁଲିସ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଆମ ସରକାର ଯତ୍ନବାନ ରହିବେ। ଲୋକବଳ ଅଭାବରୁ ପୋଲିସ ଚାପଗ୍ରସ୍ତ ରହୁଥିବାରୁ ତାକୁ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ। ପୁଲିସ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ତାଲିମ ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବ। ପୁଲିସ ସେବାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ସମସ୍ତ ପଦ ପଦବୀ ଗୁଡିକୁ ପୂର୍ଣ୍ଣ କରିବା ପାଇଁ ଆମ ସରକାର ଚେଷ୍ଟିତ ଅଛନ୍ତି ଏବଂ ନୂତନ ପଦବୀ ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଆମ ପୁଲିସ ସେବାକୁ ଆହୁରି ଯୁଗୋପଯୋଗୀ ଓ ଦୃଢ଼ ହେବାକୁ ପଡିବ ଏଣୁ ପ୍ରତ୍ୟେକ ଆରକ୍ଷୀ ଉପ-ନିରୀକ୍ଷକଙ୍କୁ ମୋଟର ସାଇକେଲ, ଲାପ୍‌ଟପ୍‌, ମୋବାଇଲ ଫୋନ ଓ ପେନ୍‌ଡ୍ରାଇଭ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁବେଳେ ନିଜ ଡ୍ୟୁଟି ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ଦୁର୍ନୀତି, ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ମୁଁ, ସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିବି, ଏହି ବାର୍ତ୍ତା ସବୁଠାରୁ ତଳ ସ୍ତରରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି। ଏହି ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ଏକାଡ଼େମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ୍ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶଙ୍କ ମଧ୍ୟରୁ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବୀଶଙ୍କୁ ଆଗାମୀ ଦାୟିତ୍ୱ ଓ କାର୍ଯ୍ୟବୋଧତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେବା କ୍ଷେତ୍ରରେ ପୋଲିସର ଖାକୀ ୟୁନିଫର୍ମ ସର୍ବଦା କର୍ତ୍ତବ୍ୟନିଷ୍ଠା, ଓ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ନିର୍ଦ୍ଦେଶକ, ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ, (ତାଲିମ) ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ବୃନ୍ଦ, ଏକାଡେମୀର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ ଓ ଶିକ୍ଷାନବୀଶଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.