ପିଇବା ପାଣି ସୁବିଧା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା

177

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣଧୀନ ବୃହତ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ୧୯୧ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି । ୩୬୫୨ଟି ସୋଲାର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି । ୨୦୨୫ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା ବେଳେ ଏହି ସୂଚନା ମିଳିଛି ।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି, “ପାନୀୟ ଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା । ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ପିଇବା ପାଣି ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ ପିଇବା ପାଣି ସୁବିଧା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳମାନେ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ସବୁ ଗାଁ ଏବଂ ଘରକୁ ପାନୀୟ ଜଳ ପହଞ୍ଚେଇବା ପାଇଁ ରାଜ୍ୟର ଯୋଜନା ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ତଥ୍ୟ ଉପସ୍ଥାପନ କରାଯାଇଛି ।”
“ରାଜ୍ୟରେ ଭୂତଳ ଜଳଭିତ୍ତିକ ବୋର କୂପ, ଓଭରହେଡ ଟାଙ୍କି, ଆବଣ୍ଟିତ ପାଇପ ଲାଇନ, ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ଅଦ୍ୟବଧି ୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବା ବେଳେ ୧୨୮୯ଟି ନିର୍ମଣାଧିନ ରହିଛି । ୧୬ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୯୧ଟି ନିର୍ମାଣଧୀନ ରହିଛି । ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବା ବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି । ଜୁନ ୨୦୨୫ ସୁଦ୍ଧା ୨୩୮ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । “ସେ ଆହୁରି ମଧ୍ୟ କହିଛନ୍ତି,” ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି । ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟାୟ କ୍ରମେ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି ।

Comments are closed, but trackbacks and pingbacks are open.