ୱକ୍ଫ ସଂଶୋଧନ: ୭ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ୍ୱକ୍ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ଏହି ନିଷ୍ପତ୍ତି ଅନୁସାରେ, ଓ୍ୱାକ୍ଫ ସଂଶୋଧନ ସମ୍ପର୍କିତ ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ। ୱକ୍ଫ (ସଂଶୋଧନ) ବିଲ୍ ଗତ ଅଧିବେଶନରେ ସଂସଦରେ ପାରିତ ହୋଇଥିଲା। ଏହି ବିଲ୍ରେ ୱକ୍ଫ ସମ୍ପତ୍ତିର ପରିଚାଳନା, ନିୟନ୍ତ୍ରଣ ଏବଂ ପରିଦର୍ଶନ ସମ୍ପର୍କିତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ରହିଛି। ତେବେ, ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଦେଖାଦେଇଛି। ବିଶେଷ କରି ମୁସଲମାନ ସଂଗଠନ ଏବଂ ରାଜନୈତିକ ଦଳମାନେ ଏହି ବିଲ୍ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ଏବଂ ସମ୍ପତ୍ତି ଅଧିକାର ଉପରେ ଆଘାତ ହେବ ବୋଲି ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟରେ ଏହି ବିଲ୍ ବିରୋଧରେ ଅନେକ ଜନସ୍ୱାର୍ଥ ମାମଲା (PIL) ଦାଖଲ ହୋଇଥିଲା, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଏହି ବିଲ୍ ସମ୍ବିଧାନର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଆବେଦନକାରୀଙ୍କ ମତରେ, ଏହି ସଂଶୋଧନ ମାଧ୍ୟମରେ ସରକାର ୱକ୍ଫ ସମ୍ପତ୍ତି ଉପରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି, ଯାହା ଧାର୍ମିକ ସ୍ୱାଧୀନତାର ଅଧିକାରକୁ ପ୍ରଭାବିତ କରିପାରେ। ମୁସଲମାନ ସଂଗଠନ, ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା ଏବଂ ୱକ୍ଫ ସମ୍ପତ୍ତି ଉପରେ ସ୍ୱାୟତ୍ତଶାସନକୁ ହ୍ରାସ କରିପାରେ। ବିଶେଷ କରି, ୱକ୍ଫ ବୋର୍ଡରେ ଅଣମୁସଲିମ ସଦସ୍ୟଙ୍କ ନିଯୁକ୍ତି ଏବଂ କେନ୍ଦ୍ରୀୟ ସରକାରଙ୍କ ଅଧିକ ହସ୍ତକ୍ଷେପକୁ ନେଇ ବିରୋଧ ତୀବ୍ର ହୋଇଛି।
Comments are closed, but trackbacks and pingbacks are open.