ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ଚୁଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

20

ଆସନ୍ତା କାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ସୋମବାର ସଂଧ୍ୟା ସୁଦ୍ଧା ଶେଷ ହୋଇଛି ନିର୍ବାଚନୀ ପ୍ରଚାର I ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ମୈଦାନ ରେ ଶେଷ ପ୍ରୟାସ କରିଛନ୍ତି ପ୍ରାର୍ଥୀ । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଗତକାଲି ୧୧ ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯାଇସାରିଥିବା ବେଳେ, ଆଜି ବାକି ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକ୍ ର ୨୦୨ ଜିଲ୍ଲା ପରିଷଦ ଜୋନ୍ ରେ ମତଦାନ ହେବ। ସେହିଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଞ୍ଚାୟତରେ ଭୋଟ୍ ଗ୍ରହଣ କରାଯିବ। ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏପଟେ ଭୋଟ୍ ଗଣତି ସମୟରେ କେଉଁ ଭୋଟ୍ ନାକଚ ହେବ ଏବଂ କେଉଁ ଭୋଟ୍ ବୈଧ ହେବ ସେନେଇ ସବୁ ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରାଯାଇଛି । ୧୬ ତାରିଖ ଦିନ ସକାଳ ୭ ରୁ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟରମାନେ କିପରି ଭୋଟ୍ ଦେବେ ସେ ନେଇ ଅବଗତ କରାଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।
ଏହି ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ୭ଟି ବ୍ଲକର ୧୫ଟି ଜିଲ୍ଲା ପରିଷଦ ଜୋନ ଲାଗି ୧୫୦୧ ବୁଥରେ ହେବ ମତଦାନ। ଶାନ୍ତିପୂର୍ଣ୍ଣ ମତଦାନ ଲାଗି ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ବ୍ୟବସ୍ଥା । ଜିଲ୍ଲାର ସମସ୍ତ ଥାନା ଓ ପୋଲିସ ରିଜର୍ଭର ପୋଲିସ କର୍ମଚାରୀମାନେ ବାରିପଦା ପୋଲିସ ପଡିଆରେ ପହଞ୍ଚି ଜିଲ୍ଲା ଏସପିଙ୍କୁ ରିପୋର୍ଟ କରିଛନ୍ତି । ଆଜି ସକାଳ ସୁଦ୍ଧା ସମସ୍ତ ବୁଥ୍ କୁ ପୋଲିସ ମୁତୟନ ହେବେ ।

ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଓ ବୋଲଗଡ଼ ବ୍ଲକରେ ଅନୁଷ୍ଠିତ ହେବ ନିର୍ବାଚନ । ବୋଲଗଡ଼ରେ ମୋଟ ୩୧୬ ବୁଥ ଭିତରୁ ୧୫ ଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ବେଳେ, ଟାଙ୍ଗି ବ୍ଲକର ୩୪୫ ବୁଥ ମଧ୍ୟରୁ ୫୮ ଟି ବୁଥ ଅତି ସମ୍ବେଦନଶୀଳ ଘୋଷଣା କରାଯାଇଛି । ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଉଭୟ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ବ୍ଲକରେ ପୋଲିଂ ପାର୍ଟି ପହଂଚି ନିର୍ଦ୍ଧାରିତ ବୁଥକୁ ଯାଉଥିବା ଦେଖାଯାଇଛି ।

ସେହିଭଳି ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ ପାଇଁ ଦୁଇ ଦିନ ଆଗରୁ ପୁଲିଂ ପାଟି ବୁଥରେ ପହଞ୍ଚିସାରିଛନ୍ତି । ସେମାନଙ୍କ ସହିତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ପଠାଯାଇଛି। ଅତି ସମ୍ବେଦନଶୀଳ ବୁଥ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ସେହି ଅଂଚଳ ଗୁଡିକରେ କଡା ସୁରକ୍ଷା ମଧ୍ୟରେ ଦିନେ ଛାଡି ଦିନେ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ।

Comments are closed, but trackbacks and pingbacks are open.