ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିଲା ଭୋଟ

13

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।
ଏହି ପର୍ଯ୍ୟାୟରେ ଝାରସୁଗୁଡ଼ାକୁ ଛାଡ଼ି ବାକି ୨୯ଟି ଜିଲ୍ଲାର ୬୩ଟି ବ୍ଳକ୍ର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧,୩୮୨ଟି ପଞ୍ଚାୟତରେ ଭୋଟ୍ ପଡ଼ିବ। ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର୍ ୧୮,୪୯୫ଟି ବୁଥ୍ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୨,୭୭୩ଟି ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ୧୭୧ଟି ଜିଲ୍ଲା ପରିଷଦ ଜୋନ୍ରେ ମୋଟ୍ ୬୭୯ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ଆଜି ସେମାନଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ସିଲ୍ ହେବ।
ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ ହୋଇଛି।
ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ୪୫ ଟି ବୁଥ ରେ ମତଦାନକୁ ବାତିଲ କରାଯାଇଥିଲା। ସେଥିପାଇଁ ଏହି ସବୁ ବୁଥ ଗୁଡିକରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.