ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର ପ୍ରଧାନ

189

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ବୁର୍ଲା :ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି । ଏହି ସମୟରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଛାଶକ୍ତି ବଢିବା ଦରକାର । ଦେଶ ସ୍ଵାଧୀନତାର ପରବର୍ତ୍ତୀ କାଳରେ ଓଡ଼ିଶାରେ ଯେତେବେଳେ ଜଳସେଚନ ଓ କୃଷି ବିକାଶର ନୂଆ ଧାରା ଆରମ୍ଭ ହୋଇଥିଲା, ସେତେବେଳେ ଏହି ଶିକ୍ଷାନୁଷ୍ଠାନ ପରିବର୍ତ୍ତନର ମଙ୍ଗ ଧରିଥିଲା । ଆଜି ଯେତେବେଳେ ଓଡ଼ିଶାରେ ନ୍ୟୁ ଏଜ୍ ଅର୍ଥନୀତିର ଧାରା ଆରମ୍ଭ ହୋଇଛି, ଭିସୁଟ ତାହାର ନେତୃତ୍ୱ ନେବ । ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଏକବିଂଶ ଶତାବ୍ଦୀର ଜ୍ଞାନ, ବିଶେଷ କରି ବୈଷୟିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ନୀତିରେ ଟେକ୍ନୋଲଜି ଏବଂ ଏଜୁକେସନର ସମନ୍ୱୟ ଉପରେ ଆମର ଫୋକସ ରହିଛି । ଏ ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳରେ ଛାତ୍ରସମାଜକୁ ପରିପକ୍ୱ କରିବାର ଦାୟିତ୍ୱ ଆମର ରହିଛି ଏବଂ ଏଥିପାଇଁ ଭିସୁଟ୍ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକର ସହଭାଗିତା ନିତାନ୍ତ ଜରୁରୀ ।

ଶିକ୍ଷାନୁଷ୍ଠାନ ପକ୍ଷରୁ ଓଡ଼ିଆ ସମେତ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏମ.ଟେକର “ପ୍ରୟୋଗଶାଳା ନିର୍ଦ୍ଦେଶିକା” ପ୍ରଶଂସନୀୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାକୁ ପ୍ରାଥମିକତା ଦେଉଥିବାରୁ ଶ୍ରୀ ପ୍ରଧାନ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ଶ୍ରୀ ପ୍ରଧାନଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଭିସୁଟ, ବୁର୍ଲା କ୍ୟାମ୍ପସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.