ଭିସୁଟ ଛାତ୍ରାବାସ ରାଗିଙ୍ଗ ଘଟଣା :୨ ଛାତ୍ର ୨ବର୍ଷ ଓ ୧୦ ଛାତ୍ର ୧ ବର୍ଷ ଯାଏ ବହିସ୍କୃତ

26

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁଲସ୍ତ୍ୟ ଛାତ୍ରାବାସରେ ଗତ ୨୨ ତାରିଖ ମଧ୍ୟରାତ୍ରୀରେ ଜଣେ ତୃତୀୟ ବର୍ଷ ଛାତ୍ରଙ୍କୁ ହୋଇଥିବା ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ରାଗିଂ ଘଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ କଲେଜରୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି ।

ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ନିଶା ସେବନ କୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିଲା । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିଲେ ଇ କିନ୍ତୁ ପରେ ଭିସୁଟ୍‌ରେ ରାଗିଂ ହେବା ଘଟଣା ନେଇ ଖବର ପ୍ରସାରିତ ହେବା ପରେ ୨୪ ତାରିଖରେ ଶୃଙ୍ଖଳା କମିଟି ବୈଠକ ବସି ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଯାହା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି । ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ନିଶା ସେବନ ଓ ରାଗିଂ ଘଟଣା ପରେ ବିଶ୍ୱବିଦ୍ୟାଳୟ ସତର୍କ ହୋଇଛନ୍ତି ଏବଂ ଏ ବିଷୟ କୁ ଗୁରୁତର ସହ ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଯେଭଳି ଭାବେ କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ସେନେଇ କର୍ତ୍ତୃପକ୍ଷଙ୍କୁ ସେମାନେ ଓ ତାଙ୍କ ଅଭିଭାବକମାନେ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ବିଶେଷକରି କ୍ୟାମ୍ପସ୍‌ରେ କିମ୍ବା କ୍ୟାମ୍ପସ୍‌ ବାହାରେ ମାଦକ ଦ୍ରବ୍ୟ କିମ୍ବା ଡ୍ରଗ୍ସ ସେବନ କରୁଥିବା ଅବସ୍ଥାରେ ଧରାପଡ଼ିଲେ ସେମାନଙ୍କୁ ତୁରନ୍ତ ବହିଷ୍କାର କରି ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ପ୍ରୋସିଡିଂରେ ଉଲ୍ଲେଖ ରହିଛି । ରାଗିଂ ଘଟଣା ନେଇ କର୍ତ୍ତୃପକ୍ଷ ପୀଡ଼ିତ ଛାତ୍ର ଓ ଅନ୍ୟ ୧୨ ଜଣ ଛାତ୍ରଙ୍କୁ ପଚରାଉଚରା ସମୟରେ ଛାତ୍ରାବାସ ହଲ୍‌ରେ ମଦ ପିଇବା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଉକ୍ତ ଅଭିଯୋଗ ପରେ କର୍ତ୍ତୃପକ୍ଷ ଏଭଳି କଡା ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Leave A Reply

Your email address will not be published.