ବିନୋଦ କୁମାରଙ୍କ ପୁଣି ୩ ବର୍ଷ ଜେଲ୍ ଦଣ୍ଡ

28

ଭୁବନେଶ୍ୱର: ବହିଷ୍କୃତ ଆଇଏଏସ୍ ଅଫିସର ତଥା ଓଆର୍‌ଏଚ୍‌ଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲଦଣ୍ଡ ହୋଇଛି । ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ଏମ୍‌/ଏସ୍ ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ୍ ପ୍ରାଇଭେଟ ଲିଃକୁ ୨୧.୩୫ ଲକ୍ଷ ଟଙ୍କାର ହୋମ ଲୋନ୍ ଦେବା ମାମଲାରେ ସୋମବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟ ପ୍ରକାଶ କରିଛନ୍ତି । ବିନୋଦ କୁମାରଙ୍କ ସମେତ ସଂପୃକ୍ତ ୬ ଜଣଙ୍କୁ ଜେଲଦଣ୍ଡ ହୋଇଛି । ଅନ୍ୟମାନେ ହେଲେ ଓଆର୍‌ଏଚ୍‌ଡିସିର ତତ୍‌କାଳୀନ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତୀରଞ୍ଜନ ମହାପାତ୍ର, ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ଜୁନିଅର ଲୋନ୍ ଅଫିସର ସତ୍ୟ ପ୍ରକାଶ ବେହେରା, ଆସିଷ୍ଟାଣ୍ଟ ସିଷ୍ଟମ୍ ଆନାଲିଷ୍ଟ୍ ଜ୍ଞାନେନ୍ଦ୍ର ସ୍ୱାଇଁ ଓ ଏମ୍‌/ଏସ୍ ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ୍ ପ୍ରାଇଭେଟ ଲିଃର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମନୋରଞ୍ଜନ ନାୟକ । ଅଭିଯୁକ୍ତଙ୍କୁ ପ୍ରତ୍ୟେକ ଦଫା ପାଇଁ ୫୦ହଜାର ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ଜରିମାନା ଅନାଦେୟ କ୍ଷେତ୍ରରେ ୬ ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି । ତେବେ ଏହି ମାମଲାକୁ ଲଗାଇ ବିନୋଦ କୁମାର ମୋଟ ୬ଟିରେ ସେ ଦୋଷୀ ସାବ୍ୟସ୍ତ ହେଲେଣି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମାମଲାର ଶୁଣାଣୀ ସମୟରେ ୧୮ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀ ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ । ସେହି ସମୟରେ ସ୍ୱସ୍ତୀରଞ୍ଜନ, ପ୍ରଦୀପ, ସତ୍ୟ ପ୍ରକାଶ, ଜ୍ଞାନେନ୍ଦ୍ର ମଧ୍ୟ ସେଠାରେ ଚାକିରି କରୁଥିଲେ । ରଶ୍ମୀ ମାସ୍ କନ୍‌ଷ୍ଟ୍ରକ୍‌ସନ ପକ୍ଷରୁ ଜାଲ ଦସ୍ତାବିଜ୍ ବଳରେ ୬ ଜଣଙ୍କୁ ଲୋନ ଦେବା ଲାଗି ୨୧.୩୫ ଲକ୍ଷ ଟଙ୍କାର ହୋମ ଲୋନ୍ ଆବେଦନ କରାଯାଇଥିଲା । ହେଲେ ବିନୋଦ କୁମାର ଏବଂ ଅନ୍ୟମାନେ ସେମାନଙ୍କ ସହ ମିଶି ଅପରାଧିକ ଯୋଜନା କରିଥିଲେ । ବିନୋଦ କୁମାର ଲୋନ୍ ଦେବା ଫଳରେ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା । ଏପଟେ ୬ ଜଣଙ୍କୁ ନୟାପଲ୍ଲୀରେ ରଶ୍ମୀ ଭିଲ୍ଲା ଆପାର୍ଟମେଣ୍ଟରେ ଫ୍ଲାଟ ଦିଆଯିବାକୁ କୁହାଯାଇଥିଲେ ମଧ୍ୟ ମନୋରଞ୍ଜନ ସେଠାରେ ୩ ମହଲା ଘର ତିଆରି କରିଥିଲେ । ଏହି ଠକେଇ ନେଇ ସରକାର ଭିଜିଲିନ୍ସ ଥାନାରେ ୨୦୦୯ରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

Comments are closed, but trackbacks and pingbacks are open.