କଂଗ୍ରେସରେ ଯୋଗ ଦେଲେ ବିଜୟ

29

ହାତ ଧରିଲେ ବିଜୟ । ଦକ୍ଷ ପ୍ରଶାସକ ଏବେ ରାଜନେତା । କଂଗ୍ରେସକୁ ମିଳିବ କି ସଂଜୀବନୀ?
ରାଜନୀତିରେ ପାଦ ଦେଲେ ପ୍ରଶାସକ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି ହାତ ଧରିଛନ୍ତି । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବିଜୟ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ।

କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି । ନୀତି ଆଦର୍ଶକୁ ନେଇ ଆଗକୁ ବଢିବି । ଓଡ଼ିଶାରେ ଦୁର୍ନୀତି ଓ କୁଶାସନ ଚାଲିଛି । ମୁଁ ଲୋକଙ୍କ ପାଇଁ କାମ କରିବି । କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି । ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ । ସେପଟେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବା ଦ୍ୱାରା ଓଡ଼ିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି । ୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ସେ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ବିଜୟ ପଟ୍ଟନାୟକ ୨୦୧୩-୧୪ରେ ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନର ଅଧ୍ୟକ୍ଷ ଏବଂ ୨୦୧୪- ୧୫ରେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ରହିଥିଲେ ।

ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ରେ ଇସ୍ତଫା ଦେଇଥିଲେ । ତେବେ ପୂର୍ବରୁ ୨୦୨୨ରେ ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କୁ ଏକା ସଙ୍ଗେ ଦେଖିବା ପରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରୁଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନ ଥିବା ଗଣମାଧ୍ୟମକୁ କହିଥିଲେ ।

Comments are closed, but trackbacks and pingbacks are open.