ଖେଳ ଶିକ୍ଷକ ଙ୍କ ଖେଳ ଖତମ କଲା ଭିଜିଲାନ୍ସ

27

ଖେଳ ଶିକ୍ଷକ ଙ୍କ ଖେଳ ଖତମ I ଅମାପ ସମ୍ପତ୍ତି ର ଭଣ୍ଡାର ଦେଖି ଭିଜିଲାନ୍ସ ତାଜୁବ। ଜଣେ କ୍ରୀଡା ଶିକ୍ଷକ ଆଖି ଖୋସି ହେଇଯିବା ଭଳି ସମ୍ପତି ର ମାଲିକ I ତାଙ୍କର ରହିଛି ବହୁତଳ ବିଶିଷ୍ଟ କୋଠା ସହିତ ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମ। ଏହି କରିତ୍କର୍ମା ଖେଳ ଶିକ୍ଷକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଆଜି ଚଢ଼ାଉ କରୁଛି ବ୍ରହ୍ମପୁର ଭିଜିଲାନ୍‌ସ । ଘରୁ ଜବତ ହୋଇଛି କେଜି କେଜି ସୁନା ଓ ପୁଳା ପୁଳା ଟଙ୍କା।

ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର , ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୩ ଟି ସ୍ଥାନରେ ଆଜି ସକାଳୁ ସକାଳୁ ଚାଲିଛି ରେଡ। ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବାସଭବନ ସହ ସମସ୍ତ ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବ୍ରହ୍ମପୁର ଭିଜିଲାନ୍‌ସ ବିଭାଗ। ଜନାର୍ଦ୍ଦନଙ୍କ ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ୧ରେ ୩ ମହଲା ବିଶିଷ୍ଟ କୋଠା, ତୃତୀୟ ଲେନ୍‌ରେ ୨ ମହଲା ଘର ଓ ଜୟନ୍ତୀପୁରରେ ଏକ ମହଲା ଘର ରହିଛି। ଏହାଛଡା ଜୟନ୍ତୀପୁରରେ ପୋଷ୍ଟ ଅଫିସ ଚାଲିଥିବା ଦୁଇ ମହଲା ଘର, ୪ଟି ଦୋକାନ ଘର ରହିଛି। ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ତେବେ ଜନାର୍ଦ୍ଦନ କହିଛନ୍ତି କିଛି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି କିଛି ନାହିଁ ବରଂ ଯାହା ସମ୍ପତ୍ତି ଅଛି ତାହା ନିଜ ଦରମା ଓ ପୁଅଙ୍କ ପରିଶ୍ରମରୁ ଅର୍ଜନ ହୋଇଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.