ସିଲାବସ୍‌ରେ ମୂଲ୍ୟଭିତ୍ତିକ ଶିକ୍ଷାକୁ ସାମିଲ କରାଯାଉ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରାମର୍ଶ

31

ହାଇଦ୍ରାବାଦ: ସିଲାବସ୍ (ପାଠ୍ୟକ୍ରମ)ରେ ମୂଲ୍ୟଭିତ୍ତିକ ଶିକ୍ଷାକୁ ସାମିଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଛନ୍ତି । ଫଳରେ ସ୍କୁଲରେ ଅଧ୍ୟକ୍ଷନ କରୁଥିବା ପିଲାମାନେ ଉତ୍ତମ ନାଗରିକ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ହାଇଦ୍ରାବାଦସ୍ଥିତ କେଶବ ମୋମୋରିଆଲ ଏଡୁକେସନାଲ ସୋସାଇଟୀ ତରଫରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ପୁନଶ୍ଚ ବିଭିନ୍ନସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାରୁ ପିତାମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ କେବଳ ସିଲାବସ୍‌ରେ ଥିବା ପାଠ ପଢିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ସିଲାବସ୍‌ରେ ମୂଲ୍ୟଭିତ୍ତିକ ଶିକ୍ଷାକୁ ସାମିଲ କରାଗଲେ, ଭବିଷ୍ୟତରେ ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି । ଯଦି ପିଲାଙ୍କୁ ମୂଳରୁ ଏଭଳି ଶିକ୍ଷା ପ୍ରଦାନ କରାଯାଏ, ତେବେ ଏକ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହୋଇପାରିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ନ୍ୟାସନାଲ ଏଡୁକେସନ ପଲିସୀ ଅନେକାଂଶରେ ଏହି ଲକ୍ଷ୍ୟକୁ ହାସଲ କରିପାରିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.