ରାଜ୍ୟରେ ପୁନଃ ଆରମ୍ଭ ହେବ ଟୀକାକରଣ

37

ଭୁବନେଶ୍ୱର : ଓଡ଼ିଶାରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବ ପରି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସୀଲଡ଼ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟ୍ବିଟ ଯୋଗେ କୁହାଯାଇଛି ଯେ ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍‌ ନେଇ ପାରିବେ।ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସୂଚନା ଥାଉକି, ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନାହିଁ। ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି। ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୭ ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫ରୁ ୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି। ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି ।ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନାରାୟଣ ମିଶ୍ର କହିଛନ୍ତି, ଏବେ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ଲୋକ ବୁଷ୍ଟଷ୍ଟୋର ଟିକା ନେଇନାହାନ୍ତି। ୧୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ମାର୍ଚ୍ଚରେ କରୋନା ସଂକ୍ରମଣ ବଢ଼ିବା ନେଇ ଅଶଙ୍କା ଥିବାରୁ ଲୋକେ ଟିକା ନେଇ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଚିତ।

Comments are closed, but trackbacks and pingbacks are open.