୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ :ଜାନୁୟାରୀ ୧ରୁ ପଞ୍ଜିକରଣ , ସ୍କୁଲ ଆଇକାର୍ଡ ଦେଖାଇ ନେଇପାରିବେ ଟିକା

20

ଆସନ୍ତା ଜାନୁୟାରୀ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାକୁ ଯାଉଛି Iସେଥିପାଇଁ ଜାନୁୟାରୀ ୧ ତାରିଖରୁ ଉଭୟ ଅନଲାଇନ୍ ଓ ୱେବ ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ। ସ୍କୁଲ ପିଲାମାନେ କେବଳ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିବା ସହିତ ଟିକା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ।
ଡା.ପାଣିଗ୍ରାହୀ କହିଛନ୍ତି, ପିଲାଙ୍କ ଟିକାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆସନ୍ତା ୩ ତାରିଖରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ‌ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ପିଲାମାନଙ୍କୁ କୋଭାକ୍ସିନ୍‌ର ଦୁଇ ଡୋଜ୍ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ।
ଅନ୍ୟପଟେ ଆସନ୍ତା ୧୦ ତାରିଖରୁ ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ନେବା ପାଇଁ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ସେମାନେ ଟିକା ନେଇପାରିବେ ବୋଲି ଡା. ପାଣିଗ୍ରାହୀ କହିଛନ୍ତି । ଏହାସହିତ ୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ୬୦ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକ ରହିଛନ୍ତି।

Leave A Reply

Your email address will not be published.