କିସରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

458

ଭୁବନେଶ୍ୱର, ୯ ।୧୦: କିସରେ ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କିସ୍‍ସ୍ଥିତ ଗୋପବନ୍ଧୁ ଚେୟାର ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଆ ସାମ୍ବାଦିକତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଡ. ପ୍ରମୋଦ କୁମାର ମହାପାତ୍ର ଉତ୍କଳମଣିଙ୍କ ଜୀବନୀ ଓ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେ କହିଲେ, ଗୋପବନ୍ଧୁ ଜଣେ ଏକନିଷ୍ଠ ସାଧକ ଥିଲେ। ସେ ତାଙ୍କର ସମଗ୍ର ଜୀବନକାଳ ମାନବସେବାରେ ଉତ୍ସର୍ଗ କରିଦେଇଥିଲେ। ସେ ମାତ୍ର ୫୧ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ମଧ୍ୟ ଯୁବାବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଆ ଜାତିର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଗୋପବନ୍ଧୁ ସବୁବେଳେ ଓଡ଼ିଆ ଜାତିର ବିକାଶର କଥା ଚିନ୍ତା କରୁଥିଲେ ଏବଂ ସେ ଦିଗରେ ନିଷ୍ଠାପର ଓ ନିସ୍ୱାର୍ଥପର ଭାବେ ଉଦ୍ୟମ କରୁଥିଲେ। ଆଜି ଯୁଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେଭଳି ଜଣେ ବ୍ୟକ୍ତି ବୋଲି ଡ. ମହାପାତ୍ର କହିଥିଲେ। ଶ୍ରୀ ସାମନ୍ତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କିସ୍‍ ମାଧ୍ୟମରେ ତାଙ୍କ ସ୍ୱପ୍ନ ସାକାର କରିପାରିଛନ୍ତି ବୋଲି ଡ. ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂ, କିସ୍‍ର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲିଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ କିସ୍‍ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.