ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

55

କଟକ: ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ। ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ଏହି ନିର୍ଦ୍ଦେଶ ରହିଛି । ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ହାଜର କରିବା ପାଇଁ କଟକ-ଭୁବନେଶ୍ବର ଅଥରିଟିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମୟ ଭିତରେ ଯଦି ପ୍ରତିପକ୍ଷଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଏ ଆଉ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଏ ତେବେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇ ନପାରେ ବୋଲି ହାଇକୋର୍ଟ କହିଛନ୍ତି ।
ଖବରଥାଉ ଯେ, ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏହି ରାୟ ଦେଇଥିଲେ, ଯାହାକୁ ୨୦୨୫ ଜୁଲାଇ ମାସରେ ଦୁଇଜଣିଆ ଖଣ୍ଡପୀଠ ମଧ୍ୟ କାଏମ ରଖିଥିଲେ । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୮ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରାଯାଇ ନଥିବାରୁ ଆବେଦନ କାରୀ ପୁନର୍ବାର ଅଦାଲତ ଅବମାନନା ମାମଲା ଦାୟର କରିଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ କଡ଼ା ଚେତାବନୀ ଦେଇଛନ୍ତି ।

Comments are closed, but trackbacks and pingbacks are open.