ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

17

ନୂଆଦିଲ୍ଲୀ: ଆକାଶରେ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ଲକ୍ଷ୍‌ନୌର ଚୌଧୁରୀ ଚରଣ ସିଂଙ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିଥିଲା । ସୂଚନା ଅନୁଯାୟୀ, ମୌର୍ଯ୍ୟ ଏକ ସରକାରୀ ଗସ୍ତ ପାଇଁ ଲକ୍ଷ୍‌ନୌରୁ କୌସାମ୍ବୀକୁ ହେଲିକପ୍ଟର ଯୋଗେ ଯାତ୍ରା କରୁଥିଲେ । ସେତେବେଳେ ଏହି ସମସ୍ୟା ଦେଖାଦେଇଥିଲା । ଅଧିକାରୀଙ୍କ କହିବା ଅନୁସାରେ ଉଡାଣ ସମୟରେ ହେଲିକପ୍ଟରରେ ହଠାତ ଧୂଆଁ ଭର୍ତ୍ତି ହୋଇଯିବା ପରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ହେଲିକପ୍ଟରରେ ଥିବା ଅନ୍ୟ ସମସ୍ତେ ମଧ୍ୟ ସୁରକ୍ଷିତ ଥିବା କୁହାଯାଇଛି । କୌଣସି ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇନାହିଁ । ଜରୁରୀ କାଳୀନ ଅବରଣ ପାଇଁ ତ୍ରୁଟିର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ଅଧିକାରୀମାନେ ଏବେ ହେଲିକପ୍ଟରରେ ଯାଞ୍ଚ କରିବେ ବୋଲି ଆଶା କରାଯାଉଛି । ମୌର୍ଯ୍ୟଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସକାଳ ପ୍ରାୟ ସାଢ଼େ ୧୧ଟା ସୁଦ୍ଧା କୌଶାମ୍ବୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ତାଙ୍କ କାର୍ଯ୍ୟସୂଚୀର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା କୌଶାମ୍ବୀର ଶୀତଳା ଦେବୀ ଅତିଥି ଭବନ ନିକଟରେ ସରସ ମହୋତ୍ସବର ଉଦଘାଟନ। ଉଦଘାଟନୀ ଉତ୍ସବ ବ୍ୟତୀତ, ଉପମୁଖ୍ୟମନ୍ତ୍ରୀ ଦଳୀୟ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବାର ଆଶା କରାଯାଉଥିଲା।

Comments are closed, but trackbacks and pingbacks are open.