ଅସାଧାରଣ ନଖ

37

କିଛି ଲୋକ ବଡ଼ ବଡ଼ ନଖ ରଖିବାକୁ ଭଲପାଆନ୍ତି । ନଖ ବଢ଼ାଇବାର ସଉକ ସେମାନଙ୍କର ଏତେ ବେଶି ଯେ, ସେମାନେ ନଖ ଆଦୌ କାଟି ନ ଥାନ୍ତି । ସେମାନଙ୍କର ଏହି ବିଶାଳ ଓ ଅସାଧାରଣ ନଖ ହିଁ ସେମାନଙ୍କୁ ଲୋକପ୍ରିୟ କରାଇଛି ।
ଡାଏନା ଆମ୍‌ଷ୍ଟ୍ରଙ୍ଗ୍‌: ସବୁଠୁ ଲମ୍ବା ନଖର ବିଶ୍ୱ ରେକର୍ଡ ଡାଏନାଙ୍କ ନାଁରେ ଅଛି । ତାଙ୍କ ଦୁଇ ହାତ ନଖର ଲମ୍ବ ୪୨ ଫୁଟ୍ ଓ ୧୦.୪ ଇଞ୍ଚ । ୧୯୯୭ରେ ତାଙ୍କ ଝିଅର ମୃତ୍ୟୁ ପରେ ସେ ନଖ କାଟିବା ବନ୍ଦ କରିଥିଲେ । ତେବେ ୨୨ ବର୍ଷରେ ସେ ନଖ ବଢ଼ାଇ ରେକର୍ଡ ବୁକ୍‌ର ଅଧିକାରୀ ହୋଇଥିଲେ ।
ଆୟାନା ୱିଲିୟମ୍ସ: ଟେକ୍‌ସାସ୍ ନିବାସୀ ଆୟାନା ୨୮ ବର୍ଷ ହେବ ନଖ କାଟି ନ ଥିଲେ । ତାଙ୍କର ଲମ୍ବା ନଖ ହିଁ ତାଙ୍କୁ ଗିନିଜ୍ ବୁକ୍‌ର ଅଧିକାରୀ କରିଛି । ତେବେ ଏବେ ସେ ଏ ନଖକୁ କାଟି ଦେଇଛନ୍ତି । ତାଙ୍କ ନଖର ଲମ୍ବ ଥିଲା ୨୪ ଫୁଟ୍ ଓ ୦.୭ ଇଞ୍ଚ । ନଖ ପାଇଁ ଗାଡ଼ି ଚଳାଇବା, ଡ୍ରେସ୍ ପିନ୍ଧିବା, ଇନସୁଲି୍‌ନ୍ ନେବାରେ ସମସ୍ୟା ହେଲା । ଏପରିକି ଶୌଚାଳୟ ଯିବାରେ ତାଙ୍କୁ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା ।
କ୍ରିସ୍ ୱାଲ୍‌ଟନ୍‌: ଲାସ୍ ଭେଗାସର କ୍ରିସ୍ ୧୯୯୦ରେ ନଖ ବଢ଼ାଇବା ଆରମ୍ଭ କରିଥିଲେ । ଶେଷଥର ପାଇଁ ସେ ୨୦୧୬ରେ ଏହାକୁ ଟ୍ରିମ୍ କରିଥିଲେ । ୨୩ ଫୁଟ୍ ଓ ୧୧ ଇଞ୍ଚ ଲମ୍ବାର ନଖ ଯୋଗୁଁ ସେ ନିଜକୁ ରାଜକୁମାରୀ ବୋଲି କହୁଥିଲେ । ତେବେ ୯ ଇଞ୍ଚ ଲମ୍ବା ନଖ ତାଙ୍କୁ ଗିନିଜ୍ ବୁକ୍ ରେକର୍ଡ ଲାଗି ପ୍ରେରିତ କରିଥିଲା ।
ମେଲଭିନ୍ ବୁଥ୍‌: ୨୦୦୯ରେ ପୁରୁଷଙ୍କ ମଧ୍ୟରେ ସବୁଠୁ ଲମ୍ବା ନଖ ରଖି ରେକର୍ଡ ବୁକ୍‌ର ଅଧିକାରୀ ହୋଇଥିଲେ ମେଲଭିନ୍ । ତାଙ୍କ ନଖର ଲମ୍ବ ଥିଲା ୩୨ ଫୁଟ୍ ତିନି ଇଞ୍ଚ । ୨୦୦୯ ମେ ୩୦ରେ ସେ ଗିନିଜ୍ ବୁକ୍‌ରେ ସ୍ଥାନ ପାଇଥିଲେ । ତେବେ ଏହାର ୭ ମାସ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଲି ରେଡ୍‌ମଣ୍ଡ୍‌: ଲି ୧୯୭୯ରେ ନଖ ବଢ଼ାଇବା ଆରମ୍ଭ କରିଥିଲେ । ଏହାକୁ ସେ ୨୦୦୯ ପର୍ଯ୍ୟନ୍ତ ବଢ଼ାଇଲେ । ତେବେ ସେ ତାଙ୍କ ନଖକୁ ସୁସ୍ଥ ରଖିବା ଲାଗି ସବୁଦିନ ଅଲିଭ୍ ତେଲରେ ବୁଡ଼ାଇ ରଖୁଥିଲେ । ତାଙ୍କ ନଖର ଲମ୍ବ ଥିଲା ୨୮ ଫୁଟ୍ ୪ ଇଞ୍ଚ ।
ଶ୍ରୀଧର ଚିଲାଲ: ୧୯୮୦ରେ ଶ୍ରୀଧର ଚିଲାଲ ସବୁଠୁ ଲମ୍ବା ନଖ ରଖିବାର କେରର୍ଡ କରିଥିଲେ । ତାଙ୍କ ନଖର ଲମ୍ବା ଥିଲା ୨୯ ଫୁଟ୍ ୧୦ ଇଞ୍ଚ । ତେବେ ସେ ଦୁଇ ହାତ ନୁହେଁ, କେବଳ ବାମ ହାତର ନଖ ବଢ଼ାଇଥିଲେ । ୨୦୧୮ରେ ସେ ତାଙ୍କ ନଖକୁ କାଟିିଥିଲେ । ଏହା ପରେ ତାଙ୍କ ନଖକୁ ନ୍ୟୁୟର୍କର ଏକ ସଂଗ୍ରହାଳୟରେ ରଖାଯାଇଥିଲା ।

Comments are closed, but trackbacks and pingbacks are open.