ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

436

କୁଆଲୋ/ଢେଙ୍କାନାଳ, ଡିସେମ୍ବର ୨୫ –  ଢ଼େଙ୍କାନାଳକୁ ଅକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ଜିଲ୍ଲାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ହୋଇଛି ବୋଲି ସୋମବାର ପରଜଙ୍ଗ ବ୍ଲକ କୁଆଲୋରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୋଦି ସରକାର ଓଡ଼ିଶା ତଥା ଢେଙ୍କାନାଳ ଜିଲ୍ଲାର ସମସ୍ତ ଗରିବ ପରିବାରଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୯୫୧ କୋଟି ଟଙ୍କା ବ୍ୟୟରେ ୭୯,୨୪୯ ପରିବାରକୁ ଘର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାରେ ମୋଟ ୩୨୪.୯୬ କୋଟି ଟଙ୍କା ବ୍ୟୟରେ ୧୦,୩୦୫ ଟି ଘର ମଞ୍ଜୁର ହୋଇଛି । ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଢେଙ୍କାନାଳରେ ୨,୭୨,୫୬୪ ପରିବାରର ଶୌଚାଳୟ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ମୋଟ ୧୭.୭୦ ଲକ୍ଷ ଜନସଂଖ୍ୟାରୁ  ପ୍ରାୟ ୯ ଲକ୍ଷ ୪୪ ହଜାର ୮୧୫ ଜଣଙ୍କୁ ଗରିବ କଲ୍ୟାଣ ଯୋଜନାରେ ମାସିକ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି ।

 ଜଳ ଜୀବନ ମିଶନ ଦ୍ୱାରା ସବୁ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୨ ଲକ୍ଷ ୭୦ ହଜାର ୮୭୬ ପରିବାର ମଧ୍ୟରୁ ୨ ଲକ୍ଷ ୨ ହଜାର ୭୮୮ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ସଂଯୋଗ ଦିଆଯାଇଛି । ମୋଦି ପାଣି ପାଇଁ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଖରେ ପାଣି ପହଞ୍ଚାଇପାରୁନାହାନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜିଲ୍ଲାର ମୋଟ ୧ ଲକ୍ଷ ୯୯ ହଜାର ୭୫୮ ପରିବାରକୁ ମାଗଣା ଏଲପିଜି  ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି । ଆଜି ମୋଦି ଗ୍ୟାରେଣ୍ଟି ବିକଶିତ ଭାରତର ସଂକଳ୍ପ ହୋଇଛି ।  

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ର୍ି ମୋଦି ଟଙ୍କାର ଅଭାବ ରଖିନାହାନ୍ତି । ବିଭିନ୍ନ ଯୋଜନାରେ ଢେଙ୍କାନାଳକୁ ମୋଦି ୩ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି । କୁଆଲୋ ଭଳି ପବିତ୍ର ମାଟିରେ ସ୍ୱାଧୀନତା ସଂଗ୍ରାମୀ ବରେଣ୍ୟ ତୀର୍ଥବାସୀ ସାହୁ ଜନ୍ମ ନେଇଥିଲେ । ପରଜଙ୍ଗ ଅଞ୍ଚଳ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁ ସିଂହଙ୍କ ଜନ୍ମଭୂମି । ଏଠାରେ ସ୍ୱରାଜ ପାଇଁ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ହୋଇଥିଲା । କୁଆଲୋ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ବୈଭବର ଅନନ୍ୟ ପ୍ରତୀକ ।

ଏହି ଅବସରରେ ଶ୍ରୀ ପ୍ରଧାନ ନାଗରିକଙ୍କୁ ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ପାଠ କରାଇବା ସହ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବ୍ଲକ କୁଆଲୋ ସ୍ଥିତ ପୁରାତନ ଅଷ୍ଟଶମ୍ଭୁ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

Comments are closed, but trackbacks and pingbacks are open.