ପୁରୀର ‘ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ’ର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

218

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩, ୨୦୨୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପତ୍ର ଲେଖି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀମନ୍ଦିର ପରିସରରେ ଥିବା ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ ଏକ ପ୍ରାଚୀନ ଅନୁଷ୍ଠାନ । ଏହା ସାଂସ୍କୃତିକ ଏବଂ ଐତିହାସିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ରଖୁଛି । ଏହି ପ୍ରାଚୀନ ଅନୁଷ୍ଠାନଟି ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟ ସେବାୟତଙ୍କ ପିଲାମାନଙ୍କୁ ସଂସ୍କୃତ ଶିକ୍ଷା, ବୈଦିକ ଶିକ୍ଷା ଏବଂ କର୍ମକାଣ୍ଡ ପ୍ରଶିକ୍ଷଣ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ବିଦ୍ୟାଳୟ ବର୍ତ୍ତମାନ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଛି । ଏହାର ନାମରେ ଏକ ସ୍ଥାୟୀ ରେକର୍ଡ ଅଫ୍ ରାଇଟ୍ସ ମଧ୍ୟ ରହିଛି । ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର କରିବା,  ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଏକ ମାଧ୍ୟମ ଭାବରେ ସଂସ୍କୃତକୁ ପ୍ରୋତ୍ସାହିତ କରିବା ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ଅନନ୍ୟ ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟକୁ ସୁରକ୍ଷା ଦେବା ହେଉଛି ବିଦ୍ୟାଳୟର ମୂଳ ଲକ୍ଷ୍ୟ ।  

ଏହି ମର୍ମରେ ବିଦ୍ୟାଳୟର ସମ୍ପୂର୍ଣ୍ଣ ପରିଚାଳନା ଏବଂ ପ୍ରଶାସନ ଭାର ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆଣିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ବିଦ୍ୟାଳୟର ସାମଗ୍ରିକ ବିକାଶ ସୁନିଶ୍ଚିତ ହେବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗୌରବମୟ ଐତିହ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ହୋଇପାରିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। 

Comments are closed, but trackbacks and pingbacks are open.